“
ଇଲ୍ଲଲାହ କୀ ଶରାବ ନଜର ସେ ପିଲା ଦିୟା, ମୈଁ ଏକ ଗୁନାଗାର ଥା, ସୁଫି
ବନା ଦିୟା ।
ସୁରତ ମେଁ ମେରେ ଆ ଗୟୀ ସୁରତ
ଫକିର କୀ, ୟେ ନଜର ମେରେ ପୀର କୀ, ୟେ ନଜର ମେରେ ପୀର କି...
’’
(ମୋ ସନ୍ଥ ମୋ ଆଖିକୁ
ଚାହିଁଲେ ଏବଂ ମୋତେ ଆଲ୍ଲାଙ୍କର ଦିବ୍ୟ ଅମୃତ ପିଆଇ ଦେଲେ ।
ସେ ପର୍ଯ୍ୟନ୍ତ ମୁଁ ପାପୀଟିଏ ଥିଲି । ସେ ମୋତେ ଏକ
ପ୍ରକାରର ସୁଫି ବନେଇ ଦେଲେ ।
ମୋ ମୁହଁ ଝଟକୁ ଥିଲା ଜଣେ ସନ୍ନ୍ୟାସୀଙ୍କ ମୁହଁ ଭଳି ।
ଓଃ, କି ଚାହାଣି ସିଏ ! ମୋ ସନ୍ଥଙ୍କର ଆଖିର ସେହି ଚାହାଣି।)
ମଣିବନ୍ଧରେ ଘୁଙ୍ଗୁରୁ (ଘୁଙ୍ଗୁର) ବାନ୍ଧି, ଛୋଟ ଛୁଆଟି ଭଳି କୋଳରେ ଧରିଥିବା ଢୋଲକ (ଢୋଲ)କୁ ବଜାଇ, ପୁଣେ ସହର ନିକଟ ଏକ ଦରଗାହ (ପୂଜାପୀଠ)ରେ ଗାଇବାରେ ମଜି ଯାଇଛନ୍ତି ଜଣେ କବ୍ବାଲ ।
ତାଙ୍କ ପାଖରେ ନଥାଏ ମାଇକ୍ରୋଫୋନ କିମ୍ବା ସହଯୋଗୀ ଗାୟକବୃନ୍ଦ, କିମ୍ବା ତାଙ୍କ ଆଗରେ ନଥାଆନ୍ତି ଶ୍ରୋତାଗଣ, ହେଲେ ସେହି ସୌଧର ଶିଖର ଛୁଇଁ ଯାଉଥାଏ ତାଙ୍କର ଖୁବ୍ ଉଚ୍ଚ ଓ ସ୍ପଷ୍ଟ କଣ୍ଠସ୍ୱର ।
ଗୋଟିଏ ପରେ ଆଉ ଗୋଟିଏ କବ୍ବାଲି । କେବଳ ଜୁହର ଏବଂ ମଗରିବ ନମାଜ (ସାନ୍ଧ୍ୟକାଳୀନ ପ୍ରାର୍ଥନା) ସମୟରେ ଯାହା ସେ ବିଶ୍ରାମ ନିଅନ୍ତି । କାରଣ, ଏ ସବୁ ପ୍ରାର୍ଥନା କାଳରେ ଗାଇବା କିମ୍ବା ବଜାଇବା ଅନୁଚିତ ବିବେଚିତ ହୁଏ ।
“ମୁଁ ଅମଜାଦ । ଅମଜାଦ ମୁରାଦ ଗୋଣ୍ଡ । ଆମେ ରାଜଗୋଣ୍ଡ, ଆଦିବାସୀ ।” ନିଜର ପରିଚୟ ଦିଅନ୍ତି ସେ । ନାଁ ଏବଂ ବେଶଭୂଷାରେ ଜଣେ ମୁସଲମାନ, ଜନ୍ମଗତ ଭାବେ ଜଣେ ଆଦିବାସୀ, ଅମଜାଦ ଆମକୁ ସୂଚାଇ ଦିଅନ୍ତି: “ କବ୍ବାଲି ଆମର ଜୀବିକା!”
ପାନ ଖାଉ ଖାଉ, ସେ କହନ୍ତି, “ଏମିତି ଜଣେ ଲୋକ ମୋତେ ଦେଖାଇ ଦିଅନ୍ତୁ ତ, ଯେ କି କବ୍ବାଲି କୁ ଉପଭୋଗ କରୁ ନଥିବେ ! ଏହା ଏମିତି ଏକ କଳା, ଯାହାକୁ ସମସ୍ତେ ଭଲ ପାଆନ୍ତି ।” ତାଙ୍କ ପାଟିରେ ପାନ ମିଳାଇ ଯାଉଥିବା ବେଳେ ସେ ତାଙ୍କର ଏହି ନିଶା, କବ୍ବାଲି ଗାଇବା ସଂପର୍କରେ ଆଗକୁ କହି ଚାଲନ୍ତି, “ ପବ୍ଲିକ୍ କୋ ଖୁସ କରନେ କା । ବାସ୍ (ଲୋକଙ୍କୁ ଖୁସି କରାଇବା, ବାସ୍ ସେତିକି)!”
‘ ପାଓଁ ମେଁ ବେଡ଼ି, ହାଥୋ ମେଁ କଡ଼ା ରହନେ ଦୋ, ଉସକୋ ସରକାର କି ଚୌଖଟ ପେ ପଡ଼ା ରହନେ ଦୋ ...। ’ ମୋର ମନେ ପଡ଼ିଯାଏ ଗୋଟିଏ ଲୋକପ୍ରିୟ ହିନ୍ଦୀ ସିନେମା ଗୀତର ଧୂନ୍ ।
ଏହି ଦରଗାହ କୁ ଆସୁଥିବା ଭକ୍ତମାନେ ତାଙ୍କର ଏହି ବଲିଉଡ ଗୀତର ସ୍ୱର ବ୍ୟବହାର ଉପରେ ଆପତ୍ତି ଉଠାନ୍ତି ନାହିଁ ଏବଂ ତାଙ୍କ ଗାୟନ ଶୁଣୁଥିବା ବେଳେ ତାଙ୍କୁ କିଛି କିଛି ଟଙ୍କା ଦିଅନ୍ତି । କିଏ ୧୦ ଟଙ୍କା ତ ଆଉ କିଏ ୨୦ ଟଙ୍କା ଦିଅନ୍ତି । ପୂଜ୍ୟ ସନ୍ଥଙ୍କ ଆଶୀର୍ବାଦ ପାଇବା ଲାଗି ଚଦର ଚଢ଼ାଉଥିବା ଭକ୍ତମାନଙ୍କୁ ସେଠାକାର ତତ୍ତ୍ୱାବଧାରକ ତିଲଗୁଲ (ରାଶି ଓ ଗୁଡ଼) ଦିଅନ୍ତି । ଦୁଷ୍ଟାତ୍ମାକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ସୱାଲି (ଭକ୍ତ)ମାନଙ୍କର କାନ୍ଧକୁ ମୟୂର ପରରେ ଥାପୁଡ଼େଇ ଦିଅନ୍ତି ଜଣେ ମୁଜାୱର । ପୀର (ସନ୍ଥ)ଙ୍କୁ ଅର୍ଥ ଅର୍ପଣ କରାଯାଏ, ଏବଂ କୱାଲ (ଗାୟକ)ଙ୍କ ପାଇଁ ଅଳ୍ପ କିଛି ଅର୍ଥ ଅଲଗା ରଖିଦିଆଯାଏ ।
ଅମଜାଦ କହନ୍ତି, ଏହି ଦରଗାହ କୁ ବହୁ ଧନୀ ଲୋକ ଆସନ୍ତି । ସମାଧିସ୍ଥଳ ଯାଏଁ ଲମ୍ବିଥିବା ରାସ୍ତାରେ ଥାଏ ଅନେକ ଛୋଟ ଛୋଟ ଦୋକାନ, ଯେଉଁଥିରେ ଅର୍ପଣ କରିବା ସକାଶେ ଚଦର ଓ ଚୁନରି ବିକ୍ରି କରାଯାଏ । ଗୋଟିଏ ପୂଜାସ୍ଥଳୀ ଅନେକ ଲୋକଙ୍କୁ ଖାଦ୍ୟ ଓ ରୋଜଗାର ଦେଇଥାଏ ।
ହଜରତ ପୀର କମର ଅଲି ଦୁର୍ବେଶ ପାତରଅନ୍ତର କରନ୍ତି ନାହିଁ। ଦରଗାହ ର ପାହାଚ ଚଢ଼ିବା ବେଳେ ସାକ୍ଷାତ ହୁଏ ଭିକ୍ଷା ମାଗୁଥିବା ଜଣେ ଫକିର (ସନ୍ନ୍ୟାସୀ) ଏବଂ ଲୋକଙ୍କ ଦୟା ଓ ଅର୍ଥ ଲୋଡୁଥିବା କେତେକ ଅକ୍ଷମଙ୍କ ସହିତ। ନଅ ଗଜ ଲମ୍ବା ଶାଢ଼ି ପିନ୍ଧିଥିବା ଜଣେ ବୟସ୍କା ହିନ୍ଦୁ ମହିଳା ଏଠାକୁ ନିୟମିତ ଭାବେ ଆସନ୍ତି ଏବଂ ହଜରତ କମର ଅଲି ଦୁର୍ବେଶଙ୍କ ଆଶୀର୍ବାଦ ବଳରେ ନିଜକୁ କୃତାର୍ଥ ମନେ କରନ୍ତି । ଅକ୍ଷମ, ଅନାଥ ଏବଂ କୱାଲ ମାନେ, ସମସ୍ତେ ତାଙ୍କରି ଦୟାରେ କାଳ କାଟୁଥାଆନ୍ତି ।
ଅମଜାଦ ଭିକାରି ନୁହଁନ୍ତି। ସେ ଜଣେ କଳାକାର । ଦିନ ୧୧ଟା ବେଳକୁ ସେ ସମାଧିପୀଠ ସାମନାରେ ଜାଗାଟିଏ ଖୋଜି ନେଇ ନିଜର ‘ମଞ୍ଚ’ ସ୍ଥାପନ କରିନିଅନ୍ତି । ଧୀରେ ଧୀରେ ଏବଂ ଲଗାତର, ଭକ୍ତମାନଙ୍କ ଆଗମନ ଆରମ୍ଭ ହୁଏ । ମଧ୍ୟାହ୍ନ ସୁଦ୍ଧା, ସମାଧିସ୍ଥଳକୁ ଘେରି ରହିଥିବା ଶଙ୍ଖମଲମଲ ଏବଂ ମୁଗୁନି ପଥର ତାତି ଯାଏ । ପଥରରୁ ନିର୍ଗତ ପ୍ରବଳ ତାତିରୁ ନିଜ ନିଜର ପାଦକୁ ରକ୍ଷା କରିବା ଲାଗି ଭକ୍ତମାନେ ଡେଇଁ ଡେଇଁ ଧାଇଁବାରେ ଲାଗନ୍ତି । ମୁସଲମାନ ଭକ୍ତଙ୍କ ତୁଳନାରେ ହିନ୍ଦୁ ଭକ୍ତଙ୍କ ସଂଖ୍ୟା ଅଧିକ ଥାଏ ।
ମହିଳାମାନଙ୍କୁ ମଜାର (ସନ୍ଥଙ୍କ ସମାଧିସ୍ଥଳ) ନିକଟକୁ ଯିବା ମନା । ତେଣୁ, ମୁସଲମାନ ମହିଳାଙ୍କ ସମେତ ବହୁସଂଖ୍ୟକ ମହିଳା ବାରଣ୍ଡାରେ ବସି ଆଖି ବନ୍ଦ କରି କୋରାନର ଆୟତ ଆବୃତ୍ତି କରନ୍ତି । ସେମାନଙ୍କ ପରେ ପରେ ବସିଥାଆନ୍ତି ପାଖ ଗାଁରୁ ଆସିଥିବା ଜଣେ ହିନ୍ଦୁ ମହିଳା, ଯାହାଙ୍କ ଶରୀରରେ ଏକ ଅଲୌକିକ ଆତ୍ମା ପ୍ରବେଶ କରିଥାଏ । “ ପୀରାଚା ୱାରା (ପୀରଙ୍କ ଆତ୍ମା),” ଲୋକେ କହନ୍ତି ।
ଭକ୍ତମାନେ ବିଶ୍ୱାସ କରନ୍ତି ଯେ, ସମାଧିସ୍ଥଳରେ ଜଳୁଥିବା ଦୀପ - ଚିରାଗ ର ତେଲ ବିଷଧର ସାପ କିମ୍ବା କଙ୍କଡ଼ାବିଛା ଦଂଶନର ବିଷ ନଷ୍ଟ କରିବା ଲାଗି ପ୍ରତିକାରକ ରୂପେ କାମ କରେ । ଏହି ବିଷର ଚିକିତ୍ସା ନଥିବା ଯୁଗରୁ ହିଁ ଏହି ବିଶ୍ୱାସ ରହିଆସିଛି । ଏବେ ଆମ ପାଖରେ ଚିକିତ୍ସା ଓ ଚିକିତ୍ସାଳୟ ରହିଛି ସତ, ହେଲେ ଏ ଯାଏଁ ଅନେକ ଏହି ଚିକିତ୍ସା ବାବଦ ଖର୍ଚ୍ଚ ତୁଲାଇବାରେ ଅକ୍ଷମ । ଏବଂ ଅନେକ ଅନ୍ୟାନ୍ୟ ଦୁଃଖଗ୍ରସ୍ତ ଅଛନ୍ତି, ଯେମିତି କି ଜଣେ ସନ୍ତାନହୀନ ମହିଳା, କେଇ ଜଣ ଶାଶୂ ବା ସ୍ୱାମୀଙ୍କ ଅତ୍ୟାଚାର ପୀଡ଼ିତା । ଏବଂ ହଜିଯାଇଥିବା ପ୍ରିୟଜନଙ୍କୁ ଖୋଜୁଥିବା ଆଉ କେତେ ଜଣ ।
ମାନସିକ ଅସୁସ୍ଥତାରେ ପୀଡ଼ିତ ଲୋକେ ବି ପୀର ଙ୍କ ସାନ୍ନିଧ୍ୟ ଲୋଡ଼ିବା ପାଇଁ ଏହି ପୂଜାପୀଠକୁ ଆସନ୍ତି । ସେମାନେ ଆଶୀର୍ବାଦ ପାଇବାକୁ ଅଳି କରନ୍ତି ଏବଂ ଅମଜାଦଙ୍କ କବ୍ବାଲି ରେ ପ୍ରତିଫଳିତ ହୁଏ ସେମାନଙ୍କ ପ୍ରାର୍ଥନାର ସ୍ୱର ଓ ଝଙ୍କାର, ଯାହା କି ଅନ୍ୟ ଯେ କୌଣସି ପ୍ରାର୍ଥନା ଭଳି, ଆମକୁ ମୋହାଚ୍ଛନ୍ନ କରେ, ଭିନ୍ନ ଏକ ଦୁନିଆକୁ ନେଇଯାଏ ।
ସେ କ’ଣ କେବେ ଗାଇବା ବନ୍ଦ କରନ୍ତି ? ତାଙ୍କ ଗଳା କ’ଣ ଥକିଯାଏ ? ତାଙ୍କର ଦୁଇ ଫୁସଫୁସ୍ ଯୋଡ଼ିଏ ହାରମୋନିୟମ ଭଳି । ଦୁଇଟି ଗୀତ ମଝିରେ ଏକ ବିରତି ନିଅନ୍ତି ଅମଜାଦ, ଏବଂ ତାଙ୍କ ସହ ସାକ୍ଷାତକାର ଲାଗି ସମୟ ମାଗିବା ସକାଶେ ମୁଁ ତାଙ୍କ ପାଖକୁ ଯାଏ । “ ମେରେ କୁ କୁଛ ଦେନ ପଡ଼େଗା କ୍ୟା ? (ମୋତେ କିଛି ‘ଦେବାକୁ’ ପଡ଼ିବ କି?)” ହାତ ଆଙ୍ଗୁଠିରେ ପଇସାକୁ ଇଙ୍ଗିତ କରି ଅମଜାଦ ପଚାରନ୍ତି । ମୋ ପାଖରେ ଉତ୍ତର ନାହିଁ । ପୁଣି ଥରେ ମୁଁ ତାଙ୍କର ସମୟ ମାଗେ ଏବଂ ତାଙ୍କ ଗାୟନ ଶୁଣିବାରେ ଲାଗିଯାଏ ।
କବ୍ବାଲି ହେଉଛି ରୁହାନି - ଆତ୍ମାକୁ ଛୁଇଁଯାଏ । ଏହାକୁ ପରମାତ୍ମାଙ୍କ ସହ ଯୋଡ଼ିଛି ସୁଫି ପରମ୍ପରା । ଯାହା ଆମେ ବିଭିନ୍ନ ରିଅଲିଟି ଶୋ’ରେ ଶୁଣିଥାଉ, ତାହା ଅନ୍ୟ ପ୍ରକାରର, ରୁମାନି କିମ୍ବା କଳ୍ପନାବିଳାସୀ । ଏବଂ ଆଉ ଏକ ତୃତୀୟ ପ୍ରକାର ବି ରହିଛି । ଆମେ ଏହାକୁ କହୁ ଖାନାବଦୋଶୀ । ଯାହା ଅମଜାଦଙ୍କ ଭଳି ବଞ୍ଚିବା ପାଇଁ ଏଣେତେଣେ ଘୂରି ବୁଲୁଥିବା ଲୋକଙ୍କ ପାଖରେ ପହଞ୍ଚିଛି ।
ପବନରେ ଝଙ୍କାର ତୋଳେ ଅମଜାଦଙ୍କ କଣ୍ଠସ୍ୱର ।
ତଜଦାର-ଏ-ହରମ, ହୋ ନିଗାହ-ଏ-କରମ
ହମ୍ ଗରୀବୋଁ କେ ଦିନ ଭି ସୱଁର ଯାୟେଙ୍ଗେ...
ଆପକେ ଦର ସେ ଖାଲି ଅଗର ଜାୟେଙ୍ଗେ
ଅମଜାଦ ଗାଇବା ବେଳେ ଏହି ଶେଷ ଧାଡ଼ିଟି ଗହନ ଅର୍ଥ ବହନ କରେ । ଏବେ ମୁଁ ତାଙ୍କ ସହ କଥାବାର୍ତ୍ତା କରିବାକୁ ଅଧିକ ଆଗ୍ରହୀ ହୋଇଉଠେ । ମୁଁ ତାଙ୍କୁ ବାଧା ଦେବାକୁ ଚାହୁଁ ନଥିଲି ଏବଂ ତାଙ୍କ ପାଖରୁ ତା’ପର ଦିନର ସମୟ ମାଗି ନେଇ ପୁଣି ଦରଗାହ କୁ ଗଲି । ପୀର କମର ଅଲି ଦୁର୍ବେଶଙ୍କ ଇତିହାସ ଜାଣିବାରେ ମୁଁ ପରଦିନ ଯାଏଁ ବ୍ୟସ୍ତ ରହିଲି ।
ଅମଜାଦ ଗୋଣ୍ଡ ସମାଧିପୀଠ ସାମନାରେ ଜାଗାଟିଏ ଖୋଜି ନିଅନ୍ତି ଏବଂ ତାଙ୍କ ‘ମଞ୍ଚ’ ସ୍ଥାପନ କରନ୍ତି । ଧୀରେ ଧୀରେ ଭକ୍ତମାନଙ୍କ ଆଗମନ ଆରମ୍ଭ ହୁଏ । ମୁସଲମାନଙ୍କ ତୁଳନାରେ ହିନ୍ଦୁ ଭକ୍ତମାନଙ୍କ ସଂଖ୍ୟା ଅଧିକ ଥାଏ
*****
ଲୋକମୁଖରେ ପ୍ରଚଳିତ କାହାଣୀ ଅନୁସାରେ, ପୁଣେ ନଗରୀଠାରୁ ପ୍ରାୟ ୨୫ କିଲୋମିଟର ଦୂର ସିଂହଗଡ଼ ଦୁର୍ଗ ପାଦଦେଶରେ ଅବସ୍ଥିତ ଖେଡ଼ ଶିବପୁର ନାମକ ଏହି ଛୋଟ ଗାଁଟିକୁ ହଜରତ କମର ଅଲି ଆସିଥିଲେ । ଗାଁରେ ଗୋଟିଏ ଦୁଷ୍ଟାତ୍ମାର ଉପଦ୍ରବରେ ଅତିଷ୍ଠ ଗାଁ ଲୋକେ ସହାୟତା ଲୋଡ଼ିବାକୁ ହଜରତ କମର ଅଲିଙ୍କ ପାଖକୁ ଯାଇଥିଲେ । ସିଦ୍ଧପୁରୁଷ ଜଣକ ସେହି ଦୁଷ୍ଟାତ୍ମାକୁ ଗୋଟିଏ ପଥରରେ ବନ୍ଦୀ କରିଦେଲେ ଏବଂ ତାକୁ ଅଭିଶାପ ଦେଇ କହିଲେ: ତା କୟାମତ, ମେରେ ନାମ ସେ ଲୋକ ତୁଝେ ଉଠା ଉଠାକେ ପଟକତେ ରହେଙ୍ଗେ, ତୁ ଲୋଗୋଁ କୋ ପରେଶାନ କିୟା କରତା ଥା, ଅବ ଜୋ ସୱାଲି ମେରେ ଦରବାର ମେଁ ଆୟେଙ୍ଗେ ୱହ ତୁଝେ ମେରେ ନାମ ସେ ପଟକେଙ୍ଗେ ! (ପ୍ରଳୟ କାଳ ଯାଏଁ ଲୋକେ ତତେ ଉଠାଇ ତଳେ କଚାଡ଼ିବେ । ଏ ପର୍ଯ୍ୟନ୍ତ ତୁ ସବୁ ଲୋକଙ୍କୁ ହଇରାଣ କରୁଥିଲୁ, ଏବେ ମୋର ଆଶୀର୍ବାଦ କାମନା କରି ଏଠାକୁ ଆସୁଥିବା ସବୁ ଲୋକ ତୋତେ ତଳେ କଚାଡ଼ିବେ)।”
ସମାଧିସ୍ଥଳ ସମ୍ମୁଖରେ ଥିବା ପଥରର ଓଜନ ୯୦ କିଲୋଗ୍ରାମରୁ ଅଧିକ ଏବଂ ମୋଟାମୋଟି ୧୧ ଜଣ ଲୋକଙ୍କର ଏକ ଦଳ ଏକାଠି ମିଶି ଏହାକୁ ମାତ୍ର ଗୋଟିଏ ଗୋଟିଏ ଆଙ୍ଗୁଠିରେ ଟେକି ପାରିବେ । ପଥରକୁ ଟେକିଲା ବେଳେ ସେମାନେ ସମ୍ମିଳିତ ସ୍ୱରରେ ‘ୟା କମର ଅଲି ଦୁର୍ବେଶ’ ଧ୍ୱନି ଦେଇଥାଆନ୍ତି ଏବଂ ସେମାନଙ୍କର ସବୁ ଶକ୍ତି ଲଗାଇ ପଥରକୁ ତଳେ କଚାଡ଼ି ଦେଇଥାଆନ୍ତି।
ଏମିତି ତ ଅନେକ ଗାଁରେ ଦରଗାହ ରହିଛି, ହେଲେ, ଖେଡ଼ ଶିବପୁର ଭଳି ଲୋକଭିଡ଼ ଖୁବ କମ୍ ଜାଗାରେ ଦେଖିବାକୁ ମିଳେ । ଏହି ବିସ୍ମୟକାରୀ ଓଜନିଆ ପଥରଟି ଅଧିକରୁ ଅଧିକ ଲୋକଙ୍କୁ ଆକର୍ଷିତ କରେ; ଏମିତି ଲୋକଙ୍କ ଭିଡ଼ ଲାଗୁଥିବାରୁ ଅମଜାଦଙ୍କ ଭଳି ଅନ୍ୟ ଅନେକଙ୍କର ସାମାନ୍ୟ ଅଧିକ ରୋଜଗାରର ସମ୍ଭାବନା ଥାଏ । ଭକ୍ତମାନେ ଏହା ବି ବିଶ୍ୱାସ କରନ୍ତି ଯେ, ଔଲିଆ ଙ୍କ ଆଶୀର୍ବାଦ ବଳରେ ନିଃସନ୍ତାନମାନଙ୍କର ସନ୍ତାନପ୍ରାପ୍ତି ହୁଏ । “ଆମେ ମଧ୍ୟ ଚେରମୂଳି ଔଷଧ ଦେଉ ଏବଂ ସନ୍ତାନହୀନମାନଙ୍କର ଚିକିତ୍ସା କରିଥାଉ,” ଅମଜାଦ ମୋତେ କହନ୍ତି ।
*****
ସେହି ଏକା ହତାରେ ଗୋଟିଏ ମସଜିଦ ରହିଛି ଏବଂ ଏହାକୁ ଲାଗି ଏକ ୱାଜୁଖାନା ରହିଛି । ଅମଜାଦ ସେଠାକୁ ଯାଆନ୍ତି ଏବଂ ନିଜ ଦେହକୁ ଭଲ ଭାବରେ ସଫା କରି ନିଅନ୍ତି, କେଶକୁ ଖୋସା କରି ବାନ୍ଧି ନିଅନ୍ତି, କମଳା ରଙ୍ଗର ତାଙ୍କ ଛୋଟ ଟୋପି ପିନ୍ଧି କହିବା ଆରମ୍ଭ କରନ୍ତି । “ପ୍ରତି ମାସରେ ମୁଁ ଏଠାକୁ ଆସି ଅନ୍ତତଃ ସପ୍ତାହକ ପାଇଁ ରହେ ।” ପିଲାଦିନେ, ଏଠାକୁ ନିୟମିତ ଆସୁଥିବା ତାଙ୍କ ବାପାଙ୍କ ସହିତ ସେ ଏଠାକୁ ଆସୁଥିଲେ । “ନିଶ୍ଚିତ ଭାବରେ ମୋ ବୟସ ସେତେବେଳେ ୧୦ କି ୧୫ ହୋଇଥିବ, ଯେତେବେଳେ ପ୍ରଥମ ଥର ପାଇଁ ମୋ ଆବ୍ବା (ବାପା) ମୋତେ ଏଠାକୁ ଆଣିଥିଲେ । ଏବେ ମୋ ବୟସ ୩୦ ଟପିଗଲାଣି ଏବଂ ବେଳେବେଳେ ମୁଁ ମୋ ପୁଅକୁ ଏଠାକୁ ଆଣେ,” ସେ କହନ୍ତି ।
ଦର୍ବେଶୀ ସଂପ୍ରଦାୟର କେତେକ ଲୋକ ଦରଗାହ ର ଭୂତଳ ଘରେ ମସିଣା ପକାଇ ଶୋଇଛନ୍ତି । ଅମଜାଦ ବି ତାଙ୍କ ବ୍ୟାଗକୁ ଗୋଟିଏ କାନ୍ଥ ପାଖରେ ରଖିଲେ । ସେ ଗୋଟିଏ ମସିଣା ବାହାର କରି ତଳେ ବିଛାଇଲେ । ସେ ମୋତେ କହନ୍ତି, ଜଲଗାଓଁ ଜିଲ୍ଲାରେ ପାଚୋରାର ଗୋଣ୍ଡ ବସ୍ତିରେ ତାଙ୍କ ଘର ।
ନିଜକୁ ହିନ୍ଦୁ କିମ୍ବା ମୁସଲମାନ ଭାବେ ପରିଚିତ କରାଇବାର ଚିନ୍ତା ତାଙ୍କର ନାହିଁ । ମୁଁ ତାଙ୍କୁ ତାଙ୍କ ପରିବାର ସଂପର୍କରେ ପଚାରେ । “ମୋ ବାପା ଏବଂ ଦୁଇ ଜଣ ମାଆ । ଆମେ ଚାରି ଭାଇ । ପୁଅମାନଙ୍କ ମଧ୍ୟରେ ମୁଁ ବଡ଼ । ମୋ ତଳେ ଶାହରୁଖ, ସେଠ ଏବଂ ସବା ସାନ ବାବର । ପାଞ୍ଚଟି ଝିଅ ପରେ ମୁଁ ଜନ୍ମ ହୋଇଥିଲି ।” ମୁଁ ତାଙ୍କୁ ସେମାନଙ୍କର ମୁସଲମାନ ନାଁ ସଂପର୍କରେ ପଚାରେ । ଉତ୍ତରରେ ସେ କହନ୍ତି, “ଆମ ଗୋଣ୍ଡମାନଙ୍କର ଉଭୟ ହିନ୍ଦୁ ଓ ମୁସଲମାନ ନାଁ ଥାଏ । ଆମର କୌଣସି ଧର୍ମ ନାହିଁ । ଆମେ ଜାତିରେ ବିଶ୍ୱାସ କରୁନାହିଁ । ହମାରା ଧରମ କୁଛ ଅଲଗ ହେଁ (ଆମର ଧର୍ମ ଟିକେ ଅଲଗା)। ଆମେ ରାଜଗୋଣ୍ଡ ।”
ସର୍ବସାଧାରଣ କ୍ଷେତ୍ରରୁ ମିଳୁଥିବା ତଥ୍ୟ ମୁତାବକ ପ୍ରାୟ ୩୦୦ ବର୍ଷ ତଳେ, ରାଜଗୋଣ୍ଡ ଆଦିବାସୀମାନଙ୍କର ଗୋଟିଏ ଭାଗ ଇସଲାମ ଧର୍ମ ଗ୍ରହଣ କରିଥିଲେ । ସେମାନେ ମୁସଲମାନ/ମୁସଲିମ ଗୋଣ୍ଡ ଭାବରେ ପରିଚିତ ଥିଲେ । ମହାରାଷ୍ଟ୍ରର ନାଗପୁର ଏବଂ ଜଲଗାଓଁ ଜିଲ୍ଲାରେ ଏହି ମୁସଲମାନ ଗୋଣ୍ଡ ସଂପ୍ରଦାୟର କେତେକ ସଦସ୍ୟଙ୍କୁ ଯେ କେହି ଭେଟିପାରିବେ । କିନ୍ତୁ ଅମଜାଦ ଏହି ଇତିହାସ ସଂପର୍କରେ ଜାଣିନାହାନ୍ତି ।
“ଆମେ ମୁସଲମାନମାନଙ୍କୁ ବିବାହ କରୁନାହିଁ । କେବଳ ଗୋଣ୍ଡଙ୍କୁ । ମୋ ସ୍ତ୍ରୀ ଚାନ୍ଦନୀ ଗୋଣ୍ଡ,” ସେ କହି ଚାଲନ୍ତି । “ମୋ ଝିଅମାନେ ହେଲେ ଲାଜୋ, ଆଲିୟା ଏବଂ ଆଲିମା । ସେମାନେ ସମସ୍ତେ ଗୋଣ୍ଡ, ନୁହେଁ କି?” ଅମଜାଦ ଆଦୌ ଭାବନ୍ତି ନାହିଁ ଯେ, ନାଁ ଭିତ୍ତିରେ କାହାରି ଧର୍ମ ଜାଣିହେବ । ସେ ମୋତେ ତାଙ୍କ ଭଉଣୀମାନଙ୍କ କଥା କହିବାରେ ଲାଗନ୍ତି । “ମୋ ସବା ବଡ଼ ଭଉଣୀ ନିଶୋରି, ତା’ପରେ ରେଶମା । ସୌସାଲ ଏବଂ ଡିଡ଼ୋଲି ରେଶମାଠାରୁ ସାନ । ଦେଖନ୍ତୁ, ଏ ସବୁଗୁଡ଼ିକ ଗୋଣ୍ଡ ନାଁ । କିନ୍ତୁ ସବା ସାନ ହେଉଛି ମେରୀ । ୟେ ନାମ ତୋ କିରିଶ୍ଚାନ ମେଁ ଆତା ହୈଁ (ଏହା ତ ଖ୍ରୀଷ୍ଟିଆନ ନାଁ) । ସେଥିରେ କିଛି ଯାଏଆସେ ନାହିଁ । ଆମକୁ ଯାହା ଭଲ ଲାଗେ ଆମେ ତାହା ବ୍ୟବହାର କରୁ ।” ନିଶୋରିଙ୍କ ବୟସ ୪୫, ଏବଂ ସବୁଠାରୁ ସାନ ମେରୀ ଏବେ ତିରିଶ ଦଶକରେ । ସେମାନେ ସମସ୍ତେ ଗୋଣ୍ଡ ପୁରୁଷଙ୍କୁ ବିବାହ କରିଛନ୍ତି । ସେମାନଙ୍କ ମଧ୍ୟରୁ କେହି କେବେହେଲେ ସ୍କୁଲ ଯାଇନାହାନ୍ତି ।
ଅମଜାଦଙ୍କ ସ୍ତ୍ରୀ ଚାନ୍ଦନୀ ବି ନିରକ୍ଷର । ତାଙ୍କ ଝିଅମାନଙ୍କ ପାଠପଢ଼ା କଥା ପଚାରିବାରୁ ଅମଜାଦ କହିଲେ, “ମୋ ଝିଅମାନେ ସରକାରୀ ସ୍କୁଲକୁ ଯାଆନ୍ତି । କିନ୍ତୁ ଆମ ସଂପ୍ରଦାୟରେ ଝିଅମାନଙ୍କୁ ଅଧିକ ପଢ଼ିବାକୁ ଦିଆଯାଏ ନାହିଁ ।”
“ମୋର ଗୋଟିଏ ପୁଅର ନାଁ ନୱାଜ ଏବଂ ଅନ୍ୟ ଜଣକ ଗରୀବ!” ଖ୍ୱାଜା ମୋଇନଉଦ୍ଦୀନ ଚିସ୍ତି ‘ ଗରୀବ ନୱାଜ ’, ବା ଗରିବଙ୍କ ତ୍ରାଣକର୍ତ୍ତା ଭାବରେ ଅଭିହିତ । ଅମଜାଦ ତାଙ୍କ ପୁଅମାନଙ୍କ ପାଇଁ ଏହି ଦୁଇଟି ଶବ୍ଦ ବ୍ୟବହାର କରିଛନ୍ତି । “ନୱାଜ ତ ଆଦୌ ଏକା ନୁହେଁ ! କିନ୍ତୁ ଗରୀବ ଭଲ ପଢୁ ବୋଲି ମୁଁ ନିଶ୍ଚିତ ଦେଖିବି । ମୁଁ ତାକୁ ମୋ ଭଳି ଏଣେତେଣେ ବୁଲିବାକୁ ଦେବି ନାହିଁ!” ଗରୀବକୁ ଆଠ ବର୍ଷ ଏବଂ ସେ ତୃତୀୟ ଶ୍ରେଣୀରେ ପଢୁଛି । କିନ୍ତୁ ଏହି ପିଲାଟି ତା କ ବ୍ବାଲ ବାପାଙ୍କ ସହ ଘୂରି ବୁଲେ ।
ତାଙ୍କ ପରିବାରର ସବୁ ପୁରୁଷ କବ୍ବାଲି କୁ ଜୀବିକା ରୂପେ ଆଦରି ନେଇଛନ୍ତି ।
“ଆପଣ କ’ଣ ଜାଣନ୍ତି ଯେ ଆମେ, ଗୋଣ୍ଡମାନେ ଯାହା କିଛି ହେଲେ ବିକ୍ରି କରିପାରିବୁ, ଏମିତି କି କାଦୁଅ ଗୁଳାଟିଏକୁ ବି । ଆମେ କାନ ସଫା କରୁ । ଆମେ ଖଜୁରି ବିକୁ । ଘର ସେ ନିକଲ ଗୟେ, ତୋ ହଜାର-ପାଚ ସୌ କମାକେଚ୍ ଲାତେଁ (ଯେତେବେଳେ ବି ଘରୁ ବାହାରକୁ ଯାଉ, ୧,୦୦୦ କି ୫୦୦ ଟଙ୍କା ସାଙ୍ଗରେ ଧରି ଫେରୁ)!” ଅମଜାଦ କହନ୍ତି । କିନ୍ତୁ ତାଙ୍କର ଗୋଟିଏ ଅଭିଯୋଗ ଯେ “ଲୋକମାନେ ଅଯଥାରେ ଟଙ୍କା ଉଡ଼ାଇ ଦିଅନ୍ତି । ସେମାନେ ସଞ୍ଚୟ କରନ୍ତିନି । ଆମର ନିର୍ଦ୍ଦିଷ୍ଟ କୌଣସି ଜୀବିକା ନାହିଁ । କେହି କୌଣସି ପ୍ରକାର ଚାକିରି କରୁନାହାନ୍ତି ।”
ଏହିଭଳି ରୋଜଗାର କିମ୍ବା ଜୀବିକା ଅର୍ଜନର ଏକ ସ୍ଥାୟୀ ପନ୍ଥାର ଅଭାବ ଭିତର ଦେଇ ଯା’ଆସ କରିବା ବେଳେ ଅମଜାଦଙ୍କ ବାପା କବ୍ବାଲି ରେ ପହଞ୍ଚିଲେ । “ମୋ ଜେଜେବାପାଙ୍କ ଭଳି, ମୋ ବାପା ବି ଚେରମୂଳି ଓ ଖଜୁରି ବିକି ଗାଁକୁ ଗାଁ ବୁଲୁଥିଲେ । ସେ ସଙ୍ଗୀତକୁ ଭଲ ପାଉଥିଲେ ଏବଂ କବ୍ବାଲିର ଏହି ବାଟ ଖୋଜିନେଲେ । ମୋ ବାପା ଯେଉଁଠାକୁ ଗଲେ ବି ମୁଁ ତାଙ୍କ ପଛେ ପଛେ ଯାଉଥିଲି । ଧୀରେ ଧୀରେ ସେ ସଙ୍ଗୀତ କାର୍ଯ୍ୟକ୍ରମରେ ଗାଇବା ଆରମ୍ଭ କଲେ । ତାଙ୍କୁ ଦେଖି ଦେଖି, ମୁଁ ବି ଏହି କଳା ଶିଖିଲି ।”
“ଆପଣ କ’ଣ ସ୍କୁଲ ଯାଉ ନଥିଲେ?” ମୁଁ ପଚାରେ ।
ଅମଜାଦ ଗୋଟିଏ ଚୂନା (କଲି ଚୂନ) ପୁଡ଼ିଆ କାଢ଼ନ୍ତି, ଆଙ୍ଗୁଠି ଟିପରେ ଯେତିକି ଧରିବ ସେତିକି ବାହାର କରନ୍ତି, ଜିଭରେ ଟିକେ ଚାଟି ଦେଇ କହନ୍ତି, “ମୁଁ ୨ୟ କି ୩ୟ ଶ୍ରେଣୀ ଯାଏଁ ସ୍କୁଲକୁ ଯାଇଥିଲି । ତା’ପରେ ଆଉ ଗଲି ନାହିଁ । କିନ୍ତୁ ମୁଁ ପଢ଼ି ପାରିବି ଏବଂ ଲେଖି ପାରିବି । ମୁଁ ଇଂଲିଶ ବି ଜାଣେ।” ତାଙ୍କୁ ଲାଗେ ଯେ ଯଦି ସେ ଆଗକୁ ପଢ଼ିଥାଆନ୍ତେ, ତେବେ ଜୀବନରେ ଉନ୍ନତି କରିଥାଆନ୍ତେ । ଏବଂ ଏହା କରିପାରିଲେନି ବୋଲି ଅବସୋସ କରନ୍ତି । “ ଉସ୍ କେ ୱଜହ ସେ ହମ ପିଛେ ହୈଁ (ସେହି କାରଣରୁ ମୁଁ ପଛେଇ ଗଲି),” ସେ କହନ୍ତି । ଅମଜାଦଙ୍କ ଭାଇମାନଙ୍କ କ୍ଷେତ୍ରରେ ବି ତାହା ହିଁ ସତ । ସେମାନେ ସମସ୍ତେ କେବଳ ପଢ଼ି ଲେଖି ଶିଖିବା ଲାଗି ସ୍କୁଲକୁ ଯାଇଥିଲେ । ବାସ୍, ସେତିକି । କାମ ସେମାନଙ୍କୁ ଦୂରେଇ ନେଲା ।
“ଆମ ଗାଁରେ ୫୦ଟି ଗୋଣ୍ଡ ପରିବାର ରହନ୍ତି । ବାକି ସମସ୍ତେ ହିନ୍ଦୁ, ମୁସଲମାନ ଏବଂ ‘ଜୟ ଭୀମ’ (ଦଳିତ) । ସେମାନେ ସମସ୍ତେ ସେଠାରେ ରହନ୍ତି,” ଅମଜାଦ କହନ୍ତି । “ଆମକୁ ଛାଡ଼ି ବାକି ଏହି ସବୁ ସଂପ୍ରଦାୟରେ ଆପଣ ଶିକ୍ଷିତ ଲୋକ ପାଇବେ । କିନ୍ତୁ ମୋ ପୁତୁରା ପାଠ ପଢ଼ିଛି । ତା’ର ନାଁ ଶିବ ।” ସେନାରେ ଯୋଗ ଦେବାକୁ ଚାହୁଁଥିବା ଶିବ ୧୫ କି ୧୬ ବର୍ଷ ବୟସ ପର୍ଯ୍ୟନ୍ତ ପାଠ ପଢ଼ିଲା, କିନ୍ତୁ ସେନାରେ ନିଯୁକ୍ତି ପାଇପାରିଲା ନାହିଁ । ଏବେ ସେ ପୋଲିସ ଚାକିରି ପାଇଁ ଚେଷ୍ଟା କରୁଛି, ସେ କହନ୍ତି । ଅନ୍ତତଃ ଅମଜାଦଙ୍କ ପରିବାରର କେହି ଜଣେ ଯୁବକ ଶିକ୍ଷା ଓ ଭବିଷ୍ୟତ ଗଢ଼ିବା କଥା ଚିନ୍ତା କରୁଛନ୍ତି ।
ଅମଜାଦଙ୍କର ରହିଛି ଏକ ନିଜସ୍ୱ ବୃତ୍ତିଗତ ଜୀବନ । “ଆମର ଗୋଟିଏ ଦଳ ଅଛି, ‘କେଜିଏନ୍ କବ୍ବାଲି ପାର୍ଟି’ ।” ଇଂଲିଶରେ କେଜିଏନ୍, ଅର୍ଥାତ୍ ଖ୍ୱାଜା ଗରୀବ ନୱାଜ । ସେ ତାଙ୍କ ଭାଇମାନଙ୍କ ସହିତ ଏହାକୁ ଆରମ୍ଭ କରିଥିଲେ । ସେମାନେ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ସଙ୍ଗୀତ ପରିବେଷଣ କରୁଥିଲେ । “ସେଥିରୁ ଆପଣ କେତେ ରୋଜଗାର କରନ୍ତି ?” ମୁଁ ପଚାରେ । “ଏହା ଆୟୋଜକଙ୍କ ଉପରେ ନିର୍ଭର କରେ । ଆମେ ୫,୦୦୦ରୁ ୧୦,୦୦୦ ଟଙ୍କା ଯାଏଁ ପାଉ । ଦର୍ଶକମାନେ ବି କିଛି ଟଙ୍କା ଦିଅନ୍ତି । ସବୁ ମିଶି ଆମେ ଗୋଟିଏ କାର୍ଯ୍ୟକ୍ରମରୁ ୧୫,୦୦୦ରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇଥାଉ,” ଅମଜାଦ କହନ୍ତି । ଏହି ଟଙ୍କାକୁ ସମସ୍ତଙ୍କ ଭିତରେ ଭାଗ ବାଣ୍ଟି ଦିଆଯାଏ ଏବଂ କେହି ହେଲେ ୨,୦୦୦- ୩,୦୦୦ ଟଙ୍କାରୁ ଅଧିକ ପାଆନ୍ତି ନାହିଁ । ବିବାହ ଋତୁ ସରିଗଲା ପରେ ଆଉ କୌଣସି କାର୍ଯ୍ୟକ୍ରମ ନଥାଏ ଏବଂ ତା’ପରେ ଅମଜାଦ ପୁଣେକୁ ଚାଲି ଆସନ୍ତି।
ଏଠାରେ, ଖେଡ଼ ଶିବପୁରର ହଜରତ କମର ଅଲି ଦୁର୍ବେଶ ଦରଗାହ ରେ ସବୁ ସମୟରେ ସେ କିଛି ଟଙ୍କା ପାଇଯାଆନ୍ତି । ସେ ଭୂତଳ ଘରେ ରାତିରେ ରହନ୍ତି । “ ଉପରୱାଲା ଭୁଖା ନହିଁ ସୁଲାତା ! (ସର୍ବଶକ୍ତିମାନ ଈଶ୍ପର କାହାରିକୁ ଭୋକରେ ଶୋଇବାକୁ ଦିଅନ୍ତିନି)” ମାନସିକ ପୂରଣ ହେଲେ ଅନେକ ଲୋକ ଭୋଜି ଦେଇଥାଆନ୍ତି । ସେ ଏଠାରେ ସପ୍ତାହକ ପାଇଁ ରହନ୍ତି, ତାଙ୍କ କବ୍ବାଲି ପରିବେଷଣ କରନ୍ତି ଏବଂ ଯାହା କିଛି ରୋଜଗାର କରିପାରନ୍ତି, ତାକୁ ଧରି ଗାଁକୁ ଫେରି ଯାଆନ୍ତି । ଏହା ତାଙ୍କର ନିୟମିତ କାର୍ଯ୍ୟଧାରା । ଏଠାରେ କେତେ ରୋଜଗାର କରନ୍ତି ବୋଲି ପଚାରିବାରୁ ଅମଜାଦ କହନ୍ତି, ଏମିତି ଏହା ୧୦,୦୦୦ରୁ ୨୦,୦୦୦ ଟଙ୍କା ଭିତରେ ରହେ । “କିନ୍ତୁ କେହି ଅଧିକ ଲୋଭ କରିବା ଉଚିତ ନୁହେଁ । ଏବଂ ଯଦିବା ଆପଣ ଅଧିକ ରୋଜଗାର କରିବେ, ତେବେ ଏତେ ସବୁ ଟଙ୍କା କେଉଁଠି ରଖିବେ ? ତେଣୁ, ମୁଁ ଯାହା ପାଏ, ସେତିକି ଧରି ଘରକୁ ଫେରିଯାଏ !” ସେ ମୋତେ କହନ୍ତି ।
“ଏତିକି କ’ଣ ଚଳିବା ପାଇଁ ଯଥେଷ୍ଟ ହୁଏ?” ମୁଁ ପଚାରେ । “ ହାଁ, ଚଲ ଯାତା ହୈ ! (ହଁ, ଚଳିଯାଏ)। ଗାଁକୁ ଫେରିଗଲେ ମୁଁ ବି ସେଠାରେ କାମ କରେ,” ସେ କହନ୍ତି । ତାଙ୍କର କୌଣସି ଜମିବାଡ଼ି କି ଅନ୍ୟ କୌଣସି ସଂପତ୍ତି ନଥିବା ବେଳେ ସେ କି କାମ କରନ୍ତି ବୋଲି ଭାବି ମୁଁ ବିସ୍ମିତ ହୁଏ ।
ମୋ ପ୍ରଶ୍ନର ସମାଧାନ କରନ୍ତି ଅମଜାଦ । “ରେଡିୟମ କାମ । ମୁଁ ଆରଟିଓ (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ)କୁ ଯାଏ ଏବଂ ଗାଡ଼ିମଟରରେ ନାଁ ଓ ନମ୍ବର ପ୍ଲେଟ୍ ରଙ୍ଗ କରେ,” ଅମଜାଦ ବୁଝାଇ ଦିଅନ୍ତି । “ କବ୍ବାଲି କାର୍ଯ୍ୟକ୍ରମ ବହୁ ଦୂରରେ ଏବଂ ସମୟ ବ୍ୟବଧାନରେ ହୁଏ । ତେଣୁ ମୁଁ ଅନ୍ୟ କୌଣସି କାମ ଖୋଜିବାକୁ ଠିକ୍ କଲି । ମୁଁ ମୋ ବ୍ୟାଗ ଧରିଲି ଏବଂ କିଛି ରେଡିୟମ ରଙ୍ଗ କିଣିଲି । ଯିବା ବାଟରେ ମୁଁ ଗୋଟିଏ ଗାଡ଼ି ପାଖରେ ଅଟକିଲି ଏବଂ ତାକୁ କନ୍ୟା ଭଳି ସଜେଇ ଦେଲି ।” ଏହା ତାଙ୍କର ଅତିରିକ୍ତ ବ୍ୟବସାୟ, ଯେଉଁଥିରେ କଳାର ଉପଯୋଗ କରାଯାଏ, ଯାହା ରାସ୍ତାଘାଟରେ ହୁଏ, ଏବଂ ଯେଉଁଥିରୁ ତାଙ୍କୁ ଅଳ୍ପ କିଛି ଟଙ୍କା ବି ମିଳେ ।
ଜୀବିକା ଅର୍ଜନର ସୀମିତ ବିକଳ୍ପ ଏବଂ ତାଙ୍କ କଳାର ପ୍ରଶଂସକଙ୍କ ସ୍ୱଳ୍ପ ସଂଖ୍ୟା ଦୃଷ୍ଟିରୁ ଅମଜାଦଙ୍କ ସଂପ୍ରଦାୟ ଆଗରେ ସେତେଟା ଉଚ୍ଚାଭିଳାଷ ପୋଷଣର ଅବକାଶ ନାହିଁ । କିନ୍ତୁ, ସମୟ ବଦଳେ । ସେମାନଙ୍କ ଜୀବନରେ ଆଶାର ସେହି କିରଣ ଟିକକ ଆଣି ଦେଇଛି ଭାରତୀୟ ଗଣତନ୍ତ୍ର । “ମୋ ବାପା ଜଣେ ସରପଞ୍ଚ (ଗାଁ ମୁଖିଆ),” ସେ କହନ୍ତି । “ଗାଁ ପାଇଁ ସେ ଅନେକ ଭଲ କାମ କରିଛନ୍ତି । ଆଗରୁ ଗାଁ ସାରା ମାଟିକାଦୁଅରେ ଭରି ରହିଥିଲା, ସେ ଗୋଟିଏ ରାସ୍ତା ତିଆରି କରିଛନ୍ତି ।”
ସ୍ୱାୟତ୍ତ ଶାସନ ସଂସ୍ଥାରେ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ହେଲେ ତାଙ୍କ ନିଜ ଲୋକମାନଙ୍କ ଆଚରଣରେ କ୍ଷୋଭ ପ୍ରକାଶ କରନ୍ତି ଅମଜାଦ । “ଆପଣ ଜଣେ ସରପଞ୍ଚଙ୍କୁ ଅମାନ୍ୟ କରିବା ଉଚିତ କି ? ଆମ ଲୋକେ ଏହା କରନ୍ତି । ଯେମିତି ସେମାନଙ୍କ ହାତକୁ କିଛି ପଇସା ଆସିଯିବ, ସେମିତି ସେମାନେ କୁକୁଡ଼ା ଓ ମାଛ କିଣିବାରେ ଲାଗିଯିବେ । ସେମାନେ ସବୁ ପଇସା ଖର୍ଚ୍ଚ କରି ମଉଜ କରନ୍ତି । କେହି ଭବିଷ୍ୟତ କଥା ଭାବନ୍ତିନି,” ସେ ଅଭିଯୋଗ କରି କହନ୍ତି ।
“କାହାକୁ ଆପଣ ଭୋଟ ଦିଅନ୍ତି?” ଭୋଟ ଦେବା ଗୋପନୀୟ ବୋଲି ଭଲ ଭାବରେ ଜାଣି ବି ମୁଁ ପଚାରେ । “ଆଗରୁ ମୁଁ ପଞ୍ଜା (ଭାରତୀୟ ଜାତୀୟ କଂଗ୍ରେସର ନିର୍ବାଚନୀ ଚିହ୍ନ)କୁ ଭୋଟ ଦେଉଥିଲି । ଏବେ ବିଜେପି ପୂରା ଦମ୍ରେ ରହିଛି । ଆମକୁ ଆମ ଜାତି ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ଭୋଟ ଦେବାକୁ ପଡ଼େ । ଜୋ ଚଲ ରହା ହୈଁ, ୱହିଚ୍ ଚଲ ରହା ହୈଁ ! (ଯାହା ସବୁଆଡ଼େ ଚାଲେ, ଆମେ ତାହାକୁ ଅନୁସରଣ କରୁ)। ରାଜନୀତିରେ ମୋର କିଛି କରିବାର ନାହିଁ,” ଏ ପ୍ରସଙ୍ଗକୁ ଏଡ଼ାଇ ଯାଇ ସେ କହନ୍ତି ।
“ଆପଣ ମଦ ପିଅନ୍ତି କି?” ମୁଁ ପଚାରେ ଏବଂ ସେ ତୁରନ୍ତ ମନା କରିଦିଅନ୍ତି । “ନା, କେବେ ନୁହେଁ ... ନା ବିଡ଼ି, ନା ମଦ । ମେରେ ଭାଇ ବିଡ଼ିଆ ପିତେ, ପୁଡ଼ିଆ ଖାତେ, (ମୋ ଭାଇମାନେ ବିଡ଼ି ପିଅନ୍ତି ଏବଂ ତମାଖୁ/ଗୁଟଖା ଖାଆନ୍ତି)। କିନ୍ତୁ ମୁଁ ପିଏ ନାହିଁ । ମୋ ପାଖରେ ଏମିତି ବଦଗୁଣ ନାହିଁ ।” ଏହି ସବୁ ଅଭ୍ୟାସରେ କ’ଣ ଖରାପ ବୋଲି ମୁଁ ତାଙ୍କ ପାଖରୁ ଜାଣିବାକୁ ଚାହେଁ ।
“ମୁଁ ପୂରା ଅଲଗା ବାଟରେ ଅଛି! କେହି ଯଦି ମଦ ପିଇ କବ୍ବାଲି ଗାଆନ୍ତି, ତେବେ ସେ ନିଶ୍ଚିତ ଭାବରେ ନିଜର ଆତ୍ମସମ୍ମାନ ହରାଇ ବସିବେ । କିଏ କାହିଁକି ଏମିତି ବ୍ୟବହାର କରିବାକୁ ଚାହିଁବ ? ସେହି କାରଣରୁ ମୁଁ କେବେହେଲେ ଏ ସବୁ ଅଭ୍ୟାସ କରିନାହିଁ,” ଅମଜାଦ କହନ୍ତି ।
କେଉଁ କବ୍ବାଲି କୁ ଆପଣ ପସନ୍ଦ କରନ୍ତି ? “ମୋତେ ସଂସ୍କୃତର କବ୍ବାଲି ଟି ଭଲ ଲାଗେ । ମୁଁ ଏହାକୁ ଗାଇବାକୁ ଏବଂ ଶୁଣିବାକୁ ମଧ୍ୟ ଭଲ ପାଏ.” ସେ କହନ୍ତି । ସଂସ୍କୃତରେ କବ୍ବାଲି ? ମୋର ଉତ୍ସୁକତା ବଢ଼େ । “ଅସଲାମ ସାବରି ଗାଆନ୍ତି, ‘କିର୍ପା କରୋ ମହାରାଜ...’ କେତେ ମଧୁର ସଂଯୋଜନା । ମୋ ପାଇଁ, ଯାହା ମନକୁ ଛୁଇଁ ଯାଏ ତାହା ହେଉଛି ସଂସ୍କୃତ । କବ୍ବାଲି ଭଗବାନ କେ ଲିୟେ ଗାଓ, ୟା ନବୀ କେ ଲିୟେ, ଦିଲ କୋ ଛୁ ଜାୟେ ବାସ୍ (କବ୍ବାଲି ଭଗବାନଙ୍କର କିମ୍ବା ଧର୍ମଗୁରୁଙ୍କ ଉଦ୍ଦେଶ୍ୟରେ ଗାଇବା କଥା । ଏହା ଯଦି ଆପଣଙ୍କ ମନକୁ ଛୁଇଁଗଲା, ସେତିକି ଯଥେଷ୍ଟ)!” ସେ ବୁଝାଇ ଦିଅନ୍ତି ।
ଅମଜାଦଙ୍କ ପାଇଁ, ଯେଉଁ କବ୍ବାଲି ରେ କୌଣସି ହିନ୍ଦୁ ଦେବତାଙ୍କ ଗୁଣଗାନ କରାଯାଏ ତାହା ‘ସଂସ୍କୃତ’ । ଆମେ କେବଳ ଭିନ୍ନ ଭିନ୍ନ ଲେଖା ଓ ଭାଷାକୁ ନେଇ ଲଢ଼ିବାରେ ଲାଗିଥାଉ ।
ମଧ୍ୟାହ୍ନ ପାଖେଇ ଆସିବା ସହିତ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗେ । ସମାଧିପୀଠ ଆଗରେ ଦଳେ ଲୋକ ଏକାଠି ହୁଅନ୍ତି । କେହି କେହି ଛୋଟ ଟୋପି ପିନ୍ଧିଥାଆନ୍ତି ତ ଆଉ କେହି ମୁଣ୍ଡକୁ ରୁମାଲରେ ଢାଙ୍କି ଥାଆନ୍ତି । ଭିତରୁ ଖୁବ୍ ଉଚ୍ଚସ୍ୱରରେ ‘ ୟା... କମର ଅଲି ଦୁର୍ବେଶ ...’ ଧ୍ୱନି ଶୁଭେ ଏବଂ ସମସ୍ତେ ସେହି ଓଜନିଆ ପଥରଟିକୁ ଆଙ୍ଗୁଠିରେ ଟେକି ଧରନ୍ତି, ଖାଲି ପୂରା ଜୋରରେ ତଳେ କଚାଡ଼ି ଦେବା ଲାଗି ।
ଅମଜାଦ ମୁରାଦ ଗୋଣ୍ଡ ଗାଇ ଚାଲିଥାଆନ୍ତି, ଭଗବାନଙ୍କ ପାଇଁ ଏବଂ ଧର୍ମଗୁରୁଙ୍କ ପାଇଁ ।
ଅନୁବାଦ : ଓଡ଼ିଶାଲାଇଭ୍