ମାସେ ଅସହ୍ୟ ତାତି ପରେ, ଶେଷରେ ମହାରାଷ୍ଟ୍ରର ମରାଠୱାଡ଼ା ଅଞ୍ଚଳରେ ଶୀତ ପହଞ୍ଚିଥିଲା । ଦାମିନୀ (ବଦଳା ଯାଇଥିବା ନାମ) ରାତି ସିଫ୍ଟ କାମ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଶୀତଳ ପରିବେଶର ଆନନ୍ଦ ନେଉଥିଲେ ।  ସେ କୁହନ୍ତି, ‘‘ମୁଁ ପିଏସ୍‌ଓ (ପୋଲିସ୍ ଷ୍ଟେସନ୍ ଅଫିସର) ଡ୍ୟୁଟିରେ ଥିଲି ଏବଂ ଅସ୍ତ୍ରଶସ୍ତ୍ର ଏବଂ ୱାକି ଟକି ପ୍ରଦାନ ଦାୟିତ୍ୱରେ ଥିଲି’’

ଥରେ ରାତି ଡ୍ୟୁଟି ବେଳେ, ଷ୍ଟେସନ ହାଉସ ଅଫିସର ଓରଫ ପୋଲିସ ଇନ୍ସପେକ୍ଟର (SHO / PI) ତାଙ୍କୁ ଥାନା ପରିସରରେ ଥିବା ତାଙ୍କ ସରକାରୀ ଘରୁ ତାଙ୍କ ୱାକି-ଟକି ପାଇଁ ଚାର୍ଜ ହୋଇଥିବା ବ୍ୟାଟେରୀ ଆଣିବାକୁ କହିଥିଲେ। ମଧ୍ୟରାତ୍ରି ପରେ ଏବଂ ଏପରି କାର୍ଯ୍ୟ ପାଇଁ ତାଙ୍କ ଘରକୁ ଡାକିବା, ଯଦିଓ ପ୍ରୋଟୋକଲ୍ ବିରୁଦ୍ଧରେ ଥିଲା, ଏହା ସାଧାରଣ ଘଟଣା ଥିଲା । ଦାମିନୀ କୁହନ୍ତି,  ‘‘ଅଧିକାରୀମାନେ ପ୍ରାୟତଃ ଯନ୍ତ୍ରପାତି ଘରକୁ ନେଇଥା’ନ୍ତି ... ଏବଂ ଆମକୁ ଆମର ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପଡ଼େ ।’’

ତେଣୁ, ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ, ଦାମିନୀ ପୋଲିସ ଇନ୍ସପେକ୍ଟରଙ୍କ (ପିଆଇ) ଘରକୁ ଗଲେ ।

ଘର ଭିତରେ ତିନି ଜଣ ଲୋକ ବସିଥିଲେ: ପିଆଇ, ଜଣେ ସାମାଜିକ କର୍ମୀ, ଏବଂ ଏକ ଥାନା କର୍ମଚାରୀ (ଛୋଟ ଅର୍ଦ୍ଧ-ସରକାରୀ କାର୍ଯ୍ୟ ପାଇଁ ଥାନାରେ ନିୟୋଜିତ ସ୍ୱେଚ୍ଛାସେବୀ) । ୨୦୧୭ ମସିହା ନଭେମ୍ବର ମାସର ସେହି ରାତିକୁ ମନେ ପକାଇ କଷ୍ଟ ଅନୁଭବ କରି ଦାମିନୀ କୁହନ୍ତି, "ମୁଁ ସେମାନଙ୍କୁ ଅଣଦେଖା କରି ୱାକି ଟକିର ବ୍ୟାଟେରୀ ବଦଳାଇବା ପାଇଁ କୋଠରୀରେ ଥିବା ଟେବୁଲ ଆଡ଼କୁ ଗଲି ।" ହଠାତ୍‌ କବାଟ ବନ୍ଦ ହେବା ଶବ୍ଦ ଶୁଣି ସେ ବୁଲିପଡ଼ି ପଛକୁ ଚାହିଁଲେ ।  “ମୁଁ ରୁମ୍‌ରୁ ବାହାରି ଯିବାକୁ ଚାହୁଁଥିଲି । ମୁଁ ମଧ୍ୟ ମୋର ସମସ୍ତ ଶକ୍ତି ଲଗାଇ ଚେଷ୍ଟା କଲି, କିନ୍ତୁ ଦୁଇଜଣ ବ୍ୟକ୍ତି ମୋ ହାତକୁ ଚାପି ଧରି ମୋତେ ଖଟ ଉପରେ ଫୋପାଡ଼ି ଦେଲେ ଏବଂ .... ଜଣଙ୍କ ପରେ ଜଣେ ମୋତେ ବଳାତ୍କାର କଲେ ।”

ରାତି ପ୍ରାୟ ସାଢ଼େ ୨ଟା, ଲୁହ ଭିଜା ଆଖିରେ ଟଳମଳ ଅବସ୍ଥାରେ ଦାମିନୀ ଘରୁ ବାହାରକୁ ଆସିଲେ, ତାଙ୍କ ବାଇକରେ ବସି ଘରକୁ ଚାଲି ଆସିଲେ । ସେ କୁହନ୍ତି, “ମୋର ମସ୍ତିଷ୍କ ଶୂନ୍ୟ ହୋଇ ଯାଇଥିଲା । ମୁଁ ଭାବି ଚାଲିଥିଲି… ମୋର କ୍ୟାରିୟର ଏବଂ ମୁଁ କ’ଣ ହାସଲ କରିବାକୁ ଚାହୁଁଥିଲି । ଏବଂ, ବର୍ତ୍ତମାନ କ’ଣ ହେଲା? ”

PHOTO • Jyoti Shinoli

ମହାରାଷ୍ଟ୍ରର ମରାଠୱାଡା ଅଞ୍ଚଳ ଦୀର୍ଘ ଦିନ ଧରି ପ୍ରବଳ ଜଳ ସଙ୍କଟ ଦେଇ ଗତି କରିଥିବାରୁ କୃଷିକ୍ଷେତ୍ରରୁ ସ୍ଥିର ଆୟର ସୁଯୋଗ ହ୍ରାସ ପାଇଛି ।  ସରକାରୀ ଚାକିରି ପରି ପୋଲିସ୍ ଲୋଭନୀୟ ହୋଇଯାଇଛି

*****

ଦାମିନୀ ଜଣେ ବରିଷ୍ଠ ସରକାରୀ ଅଧିକାରୀ ହେବାକୁ ଚାହୁଁଥିଲେ। ସେ ତିନିଟି ଡିଗ୍ରୀ ହାସଲ କରିଛନ୍ତି - ଇଂରାଜୀରେ ସ୍ନାତକ, ଶିକ୍ଷା ଏବଂ ଆଇନରେ ବି ସ୍ନାତକ – ଏହା ହେଉଛି ତାଙ୍କର ଉଚ୍ଚାଭିଳାଷ ଏବଂ ପରିଶ୍ରମର ପ୍ରମାଣ । ସେ କୁହନ୍ତି, "ମୁଁ ସର୍ବଦା ଭଲ ଛାତ୍ରୀ ଥିଲି... ମୁଁ ଭାରତୀୟ ପୋଲିସ ସେବା (ଆଇପିଏସ୍)ରେ ଜଣେ କନଷ୍ଟେବଳ ଭାବରେ ଯୋଗ ଦେବା ପରେ ପୋଲିସ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଚିନ୍ତା କରିଥିଲି ।’’

୨୦୦୭ ରେ, ଦାମିନୀ ପୋଲିସ ଫୋର୍ସରେ ଯୋଗ ଦେଇଥିଲେ। ପ୍ରଥମ କିଛି ବର୍ଷ ଧରି ସେ ଟ୍ରାଫିକ ବିଭାଗରେ ଏବଂ ମରାଠାୱାଡ଼ାର ପୋଲିସ ଷ୍ଟେସନରେ କନଷ୍ଟେବଳ ଭାବରେ କାର୍ଯ୍ୟ କରିଥିଲେ। ଦାମିନୀ ମନେ ପକାଇ କୁହନ୍ତି, “ମୁଁ ବରିଷ୍ଠତା ହାସଲ କରିବାକୁ, ପ୍ରତ୍ୟେକ କ୍ଷେତ୍ରରେ ମୋର ଦକ୍ଷତା ବୃଦ୍ଧି କରିବାକୁ କଠିନ ପରିଶ୍ରମ କରୁଥିଲି। ତଥାପି, କଠିନ ପରିଶ୍ରମ ସତ୍ତ୍ୱେ ପୁରୁଷ ପ୍ରାଧାନ୍ୟ ପୋଲିସ ଷ୍ଟେସନରେ ତାଙ୍କର ଅଭିଜ୍ଞତା ନିରୁତ୍ସାହଜନକ।

“ପୁରୁଷ ସହକର୍ମୀମାନେ ପରୋକ୍ଷରେ ଅନେକ ସମୟରେ ଅପମାନଜନକ ଟିପ୍ପଣୀ ଦିଅନ୍ତି । ବିଶେଷକରି ଜାତି ଏବଂ ଲିଙ୍ଗ ଭେଦଭାବ ନେଇ,’’ କୁହନ୍ତି ଦାମିନୀ, ଯିଏ ଜଣେ ଦଳିତ ବର୍ଗର ମହିଳା ।  “ଥରେ ଜଣେ କର୍ମଚାରୀ ମୋତେ କହିଥିଲେ, ‘ସାର୍ ଯାହା କହୁଛନ୍ତି ଯଦି ତମେ ସେଭଳି କରିବ, ତେବେ କମ୍ ଡ୍ୟୁଟି ରହିବ ଏବଂ ସେଥିପାଇଁ ଟଙ୍କା ମଧ୍ୟ ମିଳିବ’ ।’’ ସେହି ଥାନା କର୍ମଚାରୀ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ରହିଛି। ଥାନାରେ ଅର୍ଦ୍ଧ-ସରକାରୀ କାର୍ଯ୍ୟ କରିବା ବ୍ୟତୀତ, ଦାମିନୀ କହିଛନ୍ତି ଯେ ପୋଲିସ ତରଫରୁ ସେ ବ୍ୟାବସାୟିକ ଅନୁଷ୍ଠାନରୁ 'ଅସୁଲି' (ଆଇନଗତ କାର୍ଯ୍ୟାନୁଷ୍ଠାନ କିମ୍ବା ନିର୍ଯାତନା ଭୟ ଦେଖାଇ ବେଆଇନ ଟଙ୍କା ଆଦାୟ) ସଂଗ୍ରହ କରନ୍ତି ଏବଂ ପୋଲିସ ଇନସ୍ପେକ୍ଟରଙ୍କ ଘରକୁ କିମ୍ବା ହୋଟେଲ ଓ ଲଜ୍‌କୁ ଯୌନ କର୍ମୀ ଏବଂ ମହିଳା କନଷ୍ଟେବଳଙ୍କୁ ଆଣନ୍ତି ।

ଦାମିନୀ ଆହୁରି କହିଛନ୍ତି, “ଯଦିଓ ଆମେ ଅଭିଯୋଗ କରିବାକୁ ଚାହୁଁ, ଆମର ଉଚ୍ଚ ଅଧିକାରୀମାନେ ସାଧାରଣତଃ ପୁରୁଷ ହୋଇଥିବାରୁ ସେମାନେ ଆମକୁ ଅଣଦେଖା କରନ୍ତି ।” ମହିଳା ପୋଲିସର ଉଚ୍ଚ ପଦାଧିକାରୀମାନେ ମଧ୍ୟ ଦ୍ୱେଷ ଓ ନିର୍ଯାତନାରୁ ବର୍ତ୍ତି ନଥାନ୍ତି । ମହାରାଷ୍ଟ୍ରର ପ୍ରଥମ ମହିଳା କମିଶନର ହେବାର ଗୌରବ ଅର୍ଜନ କରିଥିବା ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ଡକ୍ଟର ମୀରାନ୍ ଚଢ଼ା ବୋରୱାଙ୍କର କହିଛନ୍ତି ଯେ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ କାର୍ଯ୍ୟ ପରିବେଶ ଭାରତରେ ସର୍ବଦା ଅସୁରକ୍ଷିତ ରହି ଆସିଛି । ସେ କହିଛନ୍ତି, “କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଏକ ବାସ୍ତବତା । କନଷ୍ଟେବଳ ସ୍ତରରେ ମହିଳାମାନେ ଏହାକୁ ଅଧିକ ସାମ୍ନା କରନ୍ତି, କିନ୍ତୁ ବରିଷ୍ଠ ମହିଳା ଅଧିକାରୀମାନେ ମଧ୍ୟ ଏଥିରୁ ରକ୍ଷା ପାଇନଥାନ୍ତି । ମୁଁ ମଧ୍ୟ ଏହାର ସାମ୍ନା କରିଛି ।’’

୨୦୧୩ରେ ମହିଳାମାନଙ୍କୁ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନରୁ ରକ୍ଷା କରିବା ପାଇଁ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିବାରଣ) ଆଇନ ପ୍ରଣୟନ କରାଯାଇଥିଲା ଏବଂ ନିଯୁକ୍ତିଦାତାମାନେ ଏହା ବିଷୟରେ ସଚେତନତା କରିବାକୁ ବାଧ୍ୟ। ବେଙ୍ଗାଲୁରୁସ୍ଥିତ ବିକଳ୍ପ ଆଇନ ଫୋରମର ଓକିଲ ପୂର୍ଣ୍ଣା ରବିଶଙ୍କର କହିଛନ୍ତି “ପୋଲିସ ଷ୍ଟେସନ ଏହି ଅଧିନିୟମ ଅଧୀନରେ ଅଛି ଏବଂ ଏହି ବ୍ୟବସ୍ଥାକୁ ପାଳନ କରିବା ଜରୁରୀ । SHO କିମ୍ବା PI ହେଉଛି ‘ନିଯୁକ୍ତିଦାତା’ ଏବଂ ଅନୁପାଳନ ନିଶ୍ଚିତ କରିବା ପାଇଁ ଦାୟୀ ।’’ କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ଅଭିଯୋଗ ବୁଝିବା ପାଇଁ ଏହି ନିୟମ ଅନୁଯାୟୀ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ କରିବାକୁ ନିର୍ଦ୍ଦେଶ ଅଛି – ଯେଉଁଥିରେ ଦାମିନୀଙ୍କ ଭଳି ପିଆଇଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଅନ୍ତର୍ଭୁକ୍ତ ।  କିନ୍ତୁ ବାସ୍ତବତାକୁ ଯାଂଚ କରି ଡକ୍ଟର ବୋରୱାଙ୍କର କୁହନ୍ତି: “ଆଇସିସି କେବଳ କାଗଜକଲମରେ ଗଠନ ହୋଇଥାଏ।”

ତୁଳନାତ୍ମକ ଗଣତନ୍ତ୍ର ପାଇଁ ଲୋକନୀତି-କାର୍ଯ୍ୟକ୍ରମ, ସେଣ୍ଟର ଫର ଷ୍ଟଡି ଅଫ୍ ଡେଭଲପମେଣ୍ଟ ସୋସାଇଟି (ସିଏସଡିଏସ) ଦ୍ୱାରା ପରିଚାଳିତ 'ଷ୍ଟାଟସ୍ ଅଫ୍ ପଲିସିଂ ଇନ୍ ଇଣ୍ଡିଆ ' ଶୀର୍ଷକ ଏକ ୨୦୧୯ ସର୍ଭେରେ ମହାରାଷ୍ଟ୍ର ସମେତ ୨୧ଟି ରାଜ୍ୟର ୧୦୫ଟି ସ୍ଥାନରେ ୧୧,୮୩୪ ପୋଲିସ କର୍ମଚାରୀଙ୍କୁ ସାକ୍ଷାତକାର ନିଆଯାଇଛି। ଏଥିରୁ ଜଣାପଡ଼ିଛି ଯେ ପ୍ରାୟ ଏକ ଚତୁର୍ଥାଂଶ (୨୪ ପ୍ରତିଶତ) ମହିଳା ପୋଲିସ କର୍ମଚାରୀ ସେମାନଙ୍କ କାର୍ଯ୍ୟକ୍ଷେତ୍ର କିମ୍ବା ଅଧିକାର କ୍ଷେତ୍ରରେ ଏପରି କମିଟି ନଥିବା ସୂଚନା ଦେଇଛନ୍ତି । ଆଂଶିକ ଭାବେ ଏହା ହେଉଛି କାରଣ, ମହିଳା ପୋଲିସ୍ କର୍ମଚାରୀ ସାମ୍ନା କରୁଥିବା ଉତ୍ପୀଡ଼ନର ସୀମା ନିର୍ଦ୍ଧାରଣ କରିବା ଚ୍ୟାଲେଞ୍ଜ ହୋଇ ରହିଛି ।

“ଏହି ନିୟମ ବିଷୟରେ ଆମକୁ କେବେ ବି କୁହାଯାଇନାହିଁ। କିମ୍ବା ସେଠାରେ କୌଣସି କମିଟି ନଥିଲା ।’’ ସ୍ପଷ୍ଟ କରିଛନ୍ତି ଦାମିନୀ ।

୨୦୧୪ ପରଠାରୁ, ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) କର୍ମକ୍ଷେତ୍ର ଓ ଅଫିସ ପରିସରରେ ଯୌନ ଉତ୍ପୀଡ଼ନ ମାମଲାରେ 'ମହିଳାଙ୍କ ମର୍ଯ୍ୟାଦାକୁ ଅପମାନ' ଶ୍ରେଣୀରେ ତଥ୍ୟ ସଂଗ୍ରହ କରିଆସୁଛି ( ପୂର୍ବ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୫୪ , ବର୍ତ୍ତମାନର ଭାରତ ନ୍ୟାୟ ସଂହିତା କିମ୍ବା ବିଏନ୍ଏସ୍ ର ଧାରା ୭୪ ସହ ସମାନ) । ୨୦୨୨ ମସିହାରେ, ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ସମଗ୍ର ଭାରତରେ ଏହି ବର୍ଗରେ ଅତି କମ୍‌ରେ ୪୨୨ ମାମଲା ରେକର୍ଡ କରିଛି ​​ଏବଂ ମହାରାଷ୍ଟ୍ରରେ ୪୬ ମାମଲା - ଯାହା ସମ୍ଭବତଃ କମ୍‌ ଆକଳନ ।

*****

ନଭେମ୍ବର ୨୦୧୭ର ସେହି ରାତିରେ ଦାମିନୀ ଘରେ ପହଞ୍ଚିବା ପରେ, ତାଙ୍କ ମନରେ ମାଳ ମାଳ ପ୍ରଶ୍ନ ଉଠୁଥିଲା, କଥା ପ୍ରକାଶ କଲେ ସମ୍ଭାବ୍ୟ ପ୍ରତିକ୍ରିୟା ଏବଂ କାର୍ଯ୍ୟକ୍ଷେତ୍ରରେ ଦିନକୁ ଦିନ ଅଭିଯୁକ୍ତ ବଳାତ୍କାରୀଙ୍କ ଚେହେରା ଦେଖିବାର ଭୟ ସୃଷ୍ଟି ହୋଇଥିଲା । ଦାମିନୀ ମନେ ପକାଇ କୁହନ୍ତି, “ମୁଁ ଭାବୁଥିଲି ଯେ ଯଦି (ବଳାତ୍କାର) ମୋର ଉଚ୍ଚ ଅଧିକାରୀଙ୍କ ନିଷ୍ଠୁର ଅଗ୍ରଗତିକୁ ଖାତିର ନ କରିବାର ଫଳାଫଳ ... ତେବେ ମୁଁ ଏବେ କ’ଣ କରିବା ଉଚିତ?’’  ଚାରି-ପାଞ୍ଚ ଦିନ ପରେ, ଦାମିନୀ କାମକୁ ଯିବାକୁ ସାହସ ଜୁଟାଇଲେ କିନ୍ତୁ ଘଟଣା ବିଷୟରେ କିଛି କହିବାକୁ କିମ୍ବା କିଛି ନକରିବାକୁ ସ୍ଥିର କଲେ । “ମୁଁ ବହୁତ ବିବ୍ରତ ହୋଇ ପଡ଼ିଥିଲି। ମୁଁ ଜାଣିଥିଲି ଯେଉଁସବୁ ପଦକ୍ଷେପ ଜଣେ ଗ୍ରହଣ କରିବା ଉଚିତ (ଯେପରିକି ସମୟ-ସମ୍ବେଦନଶୀଳ ଡାକ୍ତରୀ ପରୀକ୍ଷା) କିନ୍ତୁ… ମୁଁ ଜାଣେ ନାହିଁ,” ଦ୍ୱିଧାବୋଧ କରି କହିଲେ ଦାମିନୀ ।

ମାତ୍ର ଗୋଟିଏ ସପ୍ତାହ ପରେ ସେ ଲିଖିତ ଅଭିଯୋଗ ନେଇ ମରାଠାୱାଡାର ଗୋଟିଏ ଜିଲ୍ଲାର ଅଧୀକ୍ଷକ ପୋଲିସ (ଏସପି) ଙ୍କୁ ଭେଟିବାକୁ ଯାଇଥିଲେ। ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର୍) ଦାଖଲ କରିବା ପାଇଁ ଏସପି ତାଙ୍କୁ କହି ନଥିଲେ । ବଦଳରେ, ଦାମିନୀଙ୍କୁ ଏହାର ଫଳାଫଳ ସାମ୍ନା କରିବାକୁ ପଡ଼ିଲା, ଯାହାକୁ ସେ ଭୟ କରୁଥିଲେ । ସେ କୁହନ୍ତି, ‘‘ଏସପି ତାଙ୍କ ପୋଲିସ ଷ୍ଟେସନରୁ ତାଙ୍କ ସର୍ଭିସ ରେକର୍ଡ ମାଗିଥିଲେ। ଏଥିରେ ଅଭିଯୁକ୍ତ ପିଆଇ ଉଲ୍ଲେଖ କରିଥିଲେ ଯେ ମୋର ଚରିତ୍ର ଭଲ ନୁହେଁ ଏବଂ କାର୍ଯ୍ୟ କ୍ଷେତ୍ରରେ ମୁଁ ଅଭଦ୍ର ଆଚରଣ କରେ ।’’

କିଛି ଦିନ ପରେ ଏସପିଙ୍କୁ ଦାମିନୀ ଦ୍ୱିତୀୟ ଅଭିଯୋଗ ପତ୍ର ଲେଖିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ନଥିଲା। “ସେତେବେଳେ ଗୋଟିଏ ଦିନ ନଥିଲା ଯେଉଁଦିନ ମୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଚେଷ୍ଟା କରି ନ ଥିଲି। ଏହା ସହିତ, ମୋତେ ଦିଆ ଯାଉଥିବା ଡ୍ୟୁଟି ମଧ୍ୟ କରୁଥିଲି,’’ ସେ ମନେ ପକାଇ କୁହନ୍ତି । “ତା’ପରେ ମୁଁ ଜାଣିବାକୁ ପାଇଲି ଯେ ମୁଁ ବଳାତ୍କାରରୁ ଗର୍ଭବତୀ ହୋଇ ଯାଇଛି।”

ପରବର୍ତ୍ତୀ ମାସରେ, ସେ ଆଉ ଏକ ଚାରି ପୃଷ୍ଠାର ଅଭିଯୋଗ ପତ୍ର ଲେଖିଥିଲେ ଯାହାକୁ ସେ ଡାକ ଓ ହ୍ୱାଟ୍‌ସ-ଆପ୍ ଜରିଆରେ ଏସପିଙ୍କ ନିକଟକୁ ପଠାଇଥିଲେ। ବଳାତ୍କାରର ଦୁଇ ମାସ ପରେ ଜାନୁଆରୀ ୨୦୧୮ ମସିହାରେ ପ୍ରାଥମିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ‘‘ଜଣେ ମହିଳା ସହକାରୀ ଅଧୀକ୍ଷକ ପୋଲିସ (ଏଏସପି) ତଦନ୍ତ ଦାୟିତ୍ୱରେ ଥିଲେ। ଦାମିନୀ କୁହନ୍ତି, ଯଦିଓ ମୋର ଗର୍ଭଧାରଣ ରିପୋର୍ଟ ତାଙ୍କ ନିକଟରେ ମୁଁ ଦାଖଲ କରିଥିଲି, ସେ ଏହାକୁ ନିଜ ଅନୁସନ୍ଧାନ ସହିତ ସଂଲଗ୍ନ କରିନଥିଲେ । ଏଏସପି ରିପୋର୍ଟ ଦେଇଥିଲେ ଯେ ଯୌନ ନିର୍ଯାତନା ଘଟିନାହିଁ ଏବଂ ଅଧିକ ତଦନ୍ତ ସୁପାରିସ କରିବା ସହ ମୋତେ ଜୁନ୍ ୨୦୧୯ ରେ ନିଲମ୍ବିତ କରାଯାଇଥିଲା ।’’

PHOTO • Priyanka Borar

‘ଯଦିଓ ଆମେ ଅଭିଯୋଗ କରିବାକୁ ଚାହୁଁ, ଆମ ବରିଷ୍ଠ ଅଧିକାରୀମାନେ ପୁରୁଷ । ସେମାନେ ଆମକୁ ଅଣଦେଖା କରନ୍ତି,’ କୁହନ୍ତି ଦାମିନୀ । ବରିଷ୍ଠ ମହିଳା ପୋଲିସ ଅଧିକାରୀମାନେ ମଧ୍ୟ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ନିର୍ଯାତନା ସଂପର୍କରେ ଅପରିଚିତ ନୁହଁନ୍ତି

ଏହି ସମୟରେ, ଦାମିନୀଙ୍କୁ ତାଙ୍କ ପରିବାରର ସମର୍ଥନ ମଧ୍ୟ ମିଳିନଥିଲା । ଘଟଣାର ଏକ ବର୍ଷ ପୂର୍ବରୁ ସେ ୨୦୧୬ରେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ଯାଇଥିଲେ। ଚାରି ଭଉଣୀ ଏବଂ ଭାଇଙ୍କ ମଧ୍ୟରେ ବଡ଼ ହୋଇଥିବାରୁ ତାଙ୍କ ବାପା, ଅବସରପ୍ରାପ୍ତ ପୋଲିସ କନଷ୍ଟେବଳ ଏବଂ ଗୃହିଣୀ ମାଆ ତାଙ୍କ ନିକଟରେ ଛିଡ଼ା ହେବେ ବୋଲି ସେ ଆଶା କରିଥିଲେ । "କିନ୍ତୁ ଜଣେ ଅଭିଯୁକ୍ତ ମୋ ବାପାଙ୍କୁ ଉସୁକାଇଥିଲେ ... ତାଙ୍କୁ କହିଥିଲେ ଯେ ମୁଁ ଥାନାରେ ଯୌନ କାର୍ଯ୍ୟ କରୁଛି ... ମୁଁ ‘ଫାଲ୍‌ତୁ’ (ଅଦରକାରୀ) ... ଯେ ମୁଁ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିବା ଉଚିତ ନୁହେଁ ଏବଂ ଏହି ବିଶୃଙ୍ଖଳା ଭିତରକୁ ଯିବା ଉଚିତ ନୁହେଁ ,’’ କୁହନ୍ତି ଦାମିନୀ । ଯେତେବେଳେ ତାଙ୍କ ବାପା ତାଙ୍କ ସହିତ କଥାବାର୍ତ୍ତା ବନ୍ଦ କଲେ, ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ‘‘ଏହାକୁ ବିଶ୍ୱାସ କରିବା କଷ୍ଟସାଧ୍ୟ ଥିଲା। କିନ୍ତୁ ମୁଁ ଏହାକୁ ଅଣଦେଖା କରିଥିଲି। ଆଉ କ’ଣ କରି ପାରିଥାନ୍ତି ?’’

ଘଟଣା ଆହୁରି ସଙ୍ଗୀନ ହେଲା, ଦାମିନୀ ଅନୁଭବ କଲେ ଯେ ସେ ନିରନ୍ତର ନଜରରେ ରହିଛନ୍ତି। “ଅଭିଯୁକ୍ତମାନେ ବିଶେଷ କରି କର୍ମଚାରୀ ଜଣକ ମୋତେ ସବୁଠି ଅନୁସରଣ କରୁଥିଲେ। ମୁଁ ସବୁବେଳେ ସଜାଗ ରହୁଥିଲି। ମୁଁ ଶୋଇ ପାରୁନଥିଲି, ଭଲ ଭାବେ ଖାଇ ପାରୁନଥିଲି । ମୋର ମନ ଓ ଶରୀର କ୍ଳାନ୍ତ ହୋଇ ଯାଉଥିଲା। ”

ତଥାପି, ସେ ଅବିଚଳ ରହିଲେ । ଫେବ୍ରୁଆରୀ ୨୦୧୮ରେ, ସେ ଜିଲ୍ଲାର ଏକ ତାଲୁକାରେ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ (ଜେଏମଏଫସି) କୋର୍ଟରେ ପହଞ୍ଚିଲେ । ଜଣେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଙ୍କ ବରିଷ୍ଠ ଅଧିକାରୀଙ୍କ ଅନୁମତି ଅଭାବରୁ ତାଙ୍କ ମାମଲା ଖାରଜ ହୋଇଯାଇଥିଲା (ପୂର୍ବ କ୍ରିମିନାଲ୍ ପ୍ରୋସିଡ୍ୟୁର୍ କୋଡ୍ ଅଧୀନରେ ଧାରା ୧୯୭, ବର୍ତ୍ତମାନର ନୂଆ ଭାରତୀୟ ନାଗରିକ ସୁରକ୍ଷା ସଂହିତା କିମ୍ବା ବିଏନ୍ଏସ୍ ଅଧୀନରେ ଥିବା ଧାରା ୨୧୮ ସହ ସମାନ) । ଏକ ସପ୍ତାହ ପରେ ସେ ଅନ୍ୟ ଏକ ଆବେଦନ ଦାଖଲ କରିବା ପରେ ଶେଷରେ ଅତିରିକ୍ତ ଜିଲ୍ଲା ସେସନ୍ କୋର୍ଟ, ଥାନାକୁ ଏଫ୍ଆଇଆର୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

"ତିନିମାସରୁ ଅଧିକ ନିରାଶା ଏବଂ ହତାଶ ହେବା ପରେ କୋର୍ଟଙ୍କ ଆଦେଶ ମୋ ମନୋବଳକୁ ବଢ଼ାଇ ଦେଇଥିଲା ।" କୁହନ୍ତି ଦାମିନୀ । ଏହା ଅଳ୍ପ ସମୟର ଥିଲା । ଏଫ୍ଆଇଆର୍ ଦାଖଲ ହେବାର ଦୁଇ ଦିନ ପରେ ଅପରାଧ ଘଟିଥିବା ସ୍ଥାନ - ପିଆଇଙ୍କ ବାସଭବନ ଯାଞ୍ଚ କରାଯାଇଥିଲା । କୌଣସି ପ୍ରମାଣ ମିଳିଲା ନାହିଁ, ଯାହା ସ୍ୱାଭାବିକ ଥିଲା । କାରଣ ଯେଉଁ ରାତିରେ ଦାମିନୀ ପିଆଇଙ୍କ ଘରକୁ ଯାଇଥିଲେ. ଇତି ମଧ୍ୟରେ ତାହା ତିନି ମାସରୁ ଅଧିକ ସମୟ ବିତିଯାଇଥିଲା । କାହାରିକୁ ଗିରଫ କରାଗଲା ନାହିଁ ।

ସେହି ମାସରେ ଦାମିନୀଙ୍କ ଗର୍ଭପାତ ହୋଇଥିଲା, ନିଜ ସନ୍ତାନକୁ ହରାଇଥିଲେ ସେ।

*****

ଜୁଲାଇ ୨୦୧୯ରେ ଦାମିନୀଙ୍କ ମାମଲାର ଶେଷ ଶୁଣାଣି ହୋଇଥିଲା । ପାଞ୍ଚ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇ ଯାଇଛି । ନିଲମ୍ବନରେ ଥିବାବେଳେ ଏହି ମାମଲାକୁ ଇନ୍ସପେକ୍ଟର ଜେନେରାଲ (ଆଇଜି)ଙ୍କ ନିକଟକୁ ନେବାକୁ ସେ ବାରମ୍ବାର ଉଦ୍ୟମ କରିଥିଲେ, କିନ୍ତୁ ତାଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା । ଦିନେ, ସେ ତାଙ୍କ ଅଫିସିଆଲ୍ କାର୍‌ ସାମ୍ନାରେ ଠିଆ ହୋଇ ତାଙ୍କୁ ଅଟକାଇଲେ । ନିଜ ଦୁଃଖ କାହାଣୀ ବର୍ଣ୍ଣନା କଲେ । ମନେ ପକାଇ ଦାମିନୀ କୁହନ୍ତି, ‘‘ମୋ ବିରୋଧରେ ହୋଇଥିବା ସମସ୍ତ ଅନ୍ୟାୟ କାର୍ଯ୍ୟକୁ ତାଲିକାଭୁକ୍ତ କରିବାକୁ ମୁଁ ତାଙ୍କୁ ନିବେଦନ କଲି। ତା’ପରେ ସେ ମୋତେ ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।’’ ଅଗଷ୍ଟ ୨୦୨୦ରେ ପୁନର୍ବାର ପୋଲିସ ଫୋର୍ସରେ ସେ ଯୋଗ ଦେଇଥିଲେ ।

ସେ ଏବେ ମରାଠାୱାଡାର ଏକ ଅପହଞ୍ଚ ଅଞ୍ଚଳରେ ରହୁଛନ୍ତି । ତାଙ୍କର ହେଉଛି ଏକମାତ୍ର ଘର, ଯାହା ଚାରିପଟେ କିଛି ଚାଷ ଜମି ରହିଛି ଏବଂ ଅଳ୍ପ କିଛି ଲୋକ ବାସ କରନ୍ତି ।

PHOTO • Jyoti Shinoli

ଯେପର୍ଯ୍ୟନ୍ତ ସେ ମନେ ପକାଇ ପାରନ୍ତି, ଦାମିନୀ ଜଣେ ବରିଷ୍ଠ ସରକାରୀ ଅଧିକାରୀ ହେବାକୁ ଚାହୁଁଥିଲେ ଏବଂ ଉଚ୍ଚ ବେକାରୀ ଥିବା ଅଞ୍ଚଳରେ ଏକ ସୁରକ୍ଷିତ ଭବିଷ୍ୟତ ପାଇବାକୁ ଚାହୁଁଥିଲେ

“ମୁଁ ଏଠାରେ ସୁରକ୍ଷିତ ମଣୁଛି। ଅଳ୍ପ କିଛି ଚାଷୀଙ୍କ ବ୍ୟତୀତ ଆଉ କେହି ଏହି ପାଖକୁ ଆସନ୍ତି ନାହିଁ,” ଦ୍ୱିତୀୟ ବିବାହରୁ ଛଅ ମାସର ଝିଅକୁ କୋଳରେ ଧରି ସେ ଆଶ୍ୱସ୍ତ ଅନୁଭବ କରି କୁହନ୍ତି । ‘‘ମୁଁ ସବୁବେଳେ ଚିନ୍ତାରେ ଦିନ କାଟୁଥିଲି, କିନ୍ତୁ ସେ ଜନ୍ମ ହେବା ଦିନଠାରୁ ଅଧିକ ଆରାମ ପାଇଥିଲି।” ତାଙ୍କ ସ୍ୱାମୀ ତାଙ୍କୁ ସମର୍ଥନ କରୁଛନ୍ତି । ଝିଅ ଜନ୍ମ ହେବା ପରେ ତାଙ୍କ ବାପାଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ସୁଧୁରିଛି ।

ସେ ଆଉ ସେହି ଥାନାରେ କାମ କରୁନାହାନ୍ତି ଯେଉଁଠାରେ ତାଙ୍କୁ ବଳାତ୍କାର କରାଯାଇଥିଲା । ଏହା ବଦଳରେ ଉକ୍ତ ଜିଲ୍ଲାର ଅନ୍ୟ ଏକ ଥାନାରେ ହେଡ କନଷ୍ଟେବଳ ପଦବୀରେ ସେ କାମ କରୁଛନ୍ତି। କେବଳ ଦୁଇଜଣ ସହକର୍ମୀ ଏବଂ ଘନିଷ୍ଠ ବନ୍ଧୁ ଜାଣନ୍ତି ଯେ ସେ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ବର୍ତ୍ତମାନ କିମ୍ବା ପୂର୍ବର କାର୍ଯ୍ୟକ୍ଷେତ୍ରରେ କେହି ଜାଣନ୍ତି ନାହିଁ ଯେ ସେ ବର୍ତ୍ତମାନ କେଉଁଠାରେ ରୁହନ୍ତି । ତା’ପରେ ମଧ୍ୟ ସେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ।

“ଯଦି ମୁଁ ବାହାରେ ଥାଏ ଏବଂ ୟୁନିଫର୍ମ ପିନ୍ଧି ନଥାଏ, ତେବେ ମୁଁ ଏକ କପଡ଼ାରେ ମୁହଁ ଘୋଡେଇ ଦିଏ । କେବେ ମୁଁ ଏକୁଟିଆ ବାହାରକୁ ଯାଏ ନାହିଁ । ମୁଁ ସବୁବେଳେ ସତର୍କତା ଅବଲମ୍ବନ କରେ । ସେମାନେ ମୋ ଘରେ ପହଞ୍ଚିବା ଉଚିତ୍ ନୁହେଁ,’’ କୁହନ୍ତି ଦାମିନୀ ।

ଏହା ଏକ ଧମକ ଅନୁଭବ ନୁହେଁ ।

ଦାମିନୀ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ କର୍ମଚାରୀ ପ୍ରାୟତଃ ତାଙ୍କ ନୂତନ କର୍ମକ୍ଷେତ୍ରକୁ ଆସନ୍ତି, କିମ୍ବା ପୋଲିସ୍ ଚେକ୍ ପଏଣ୍ଟରେ ସେ ଯେଉଁଠି ନିୟୋଜିତ ହୁଅନ୍ତି ଏବଂ ତାଙ୍କୁ ମାଡ଼ ମାରନ୍ତି । ‘‘ଯେଉଁ ଦିନ ଜିଲ୍ଲା କୋର୍ଟରେ ମୋ ମାମଲାର ଶୁଣାଣି ହୋଇଥିଲା ଥରେ ସେ ମୋତେ ଏକ ବସଷ୍ଟାଣ୍ଡରେ ପିଟିଥିଲେ ।” ଜଣେ ମା’ ଭାବରେ, ତାଙ୍କ ମୁଖ୍ୟ ଚିନ୍ତା ହେଉଛି ତାଙ୍କ ଝିଅର ସୁରକ୍ଷା । ‘‘ଯଦି ସେମାନେ ତା’ ସହ କିଛି କରନ୍ତି ତେବେ କ’ଣ ହେବ?’’ ସେ ତାଙ୍କ ଝିଅକୁ ଜୋରରେ ଜାବୁଡ଼ି ଧରି ପଚାରନ୍ତି ।

ଏହି ଲେଖକ ମେ’ ୨୦୨୪ରେ ଦାମିନୀଙ୍କୁ ଭେଟିଥିଲେ। ମରାଠାୱାଡାର ପ୍ରଚଣ୍ଡ ତାତି ସତ୍ତ୍ୱେ ନ୍ୟାୟ ପାଇଁ ପ୍ରାୟ ସାତ ବର୍ଷର ସଂଗ୍ରାମ, ଏବଂ ଏହି ଘଟଣା ପ୍ରଘଟ କଲେ କ୍ଷତି ହେବାର ଆଶଙ୍କା ରହିଥିଲା ​​– ତାହା ସତ୍ତ୍ୱେ ତାଙ୍କର ଆତ୍ମବଳ ​​ଉଚ୍ଚ ଥିଲା; ଶକ୍ତିଶାଳୀ ଥିଲା ତାଙ୍କର ସଂକଳ୍ପ । “ମୁଁ ସମସ୍ତ ଅଭିଯୁକ୍ତଙ୍କୁ କାରାଗାର ଭିତରେ ଦେଖିବାକୁ ଚାହୁଁଛି। ମଲା ଲଢ଼ାୟାଚ୍ ଆହେ (ମୁଁ ଲଢ଼ିବାକୁ ଚାହୁଁଛି) ।”

ଏହି କାହାଣୀ ଭାରତରେ ଯୌନ ଏବଂ ଲିଙ୍ଗଭିତ୍ତିକ ହିଂସା (SGBV)ର ଶିକାର ହୋଇଥିବା ପୀଡ଼ିତଙ୍କ ଯତ୍ନ ନେବା ପାଇଁ ସାମାଜିକ, ଅନୁଷ୍ଠାନିକ ତଥା ଗଠନମୂଳକ ପ୍ରତିବନ୍ଧକ ଉପରେ ଧ୍ୟାନ ଦେଇ ଏକ ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟର ଏକ ଅଂଶ । ଡକ୍ଟର୍ସ ୱିଦାଉଟ୍ ବଡର୍ସ ଇଣ୍ଡିଆ ଦ୍ୱାରା ସମର୍ଥିତ ଅଭିଯାନର ଏହା ଏକ ଅଂଶ ।

ପୀଡ଼ିତ ଏବଂ ପରିବାର ସଦସ୍ୟଙ୍କ ନାମ ସେମାନଙ୍କ ପରିଚୟ ରକ୍ଷା କରିବା ପାଇଁ ପରିବର୍ତ୍ତନ କରାଯାଇଛି ।

ଅନୁବାଦ : ଓଡ଼ିଶାଲାଇଭ୍‍

Jyoti Shinoli is a Senior Reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli
Editor : Pallavi Prasad

Pallavi Prasad is a Mumbai-based independent journalist, a Young India Fellow and a graduate in English Literature from Lady Shri Ram College. She writes on gender, culture and health.

Other stories by Pallavi Prasad
Series Editor : Anubha Bhonsle

Anubha Bhonsle is a 2015 PARI fellow, an independent journalist, an ICFJ Knight Fellow, and the author of 'Mother, Where’s My Country?', a book about the troubled history of Manipur and the impact of the Armed Forces Special Powers Act.

Other stories by Anubha Bhonsle
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE