ମିରଟରେ କ୍ୟାରମ ବୋର୍ଡ କାରଖାନାରେ ପାଞ୍ଚ ଜଣ କାରୀଗର ଲଗାତାର ପାଞ୍ଚ ଦିନ ପର୍ଯ୍ୟନ୍ତ ଆଠ ଘଣ୍ଟା ଧରି କାମ କରିବା ପରେ ୪୦ଟି ବୋର୍ଡ ତିଆରି କରିଥା’ନ୍ତି। ଷ୍ଟ୍ରାଇକର ଓ କଏନ୍‌କୁ କ୍ୟାରମ୍‌ ବୋର୍ଡର ଫ୍ରେମ ମଧ୍ୟରେ ଦ୍ରୁତ ଗତିରେ କେମିତି ଚଲାଇବାକୁ ହେବ ତାହା ଏହି କାର୍ଯ୍ୟଶାଳାରେ କାମ କରୁଥିବା ପ୍ରତ୍ୟେକ କାରୀଗର ଜାଣିଛନ୍ତି । ଏହା ଏପରି ଏକ ଖେଳ ଯେଉଁଥିରେ ସର୍ବାଧିକ ଚାରି ଜଣ ଖେଳାଳୀ ଖେଳିପାରିବେ- କିନ୍ତୁ ଏଠାରେ ପ୍ରତ୍ୟେକ ବୋର୍ଡ ଉପରେ ପାଞ୍ଚ ଜଣ କାରୀଗର କାମ କରନ୍ତି। ସେମାନେ କ୍ୟାରମ ଖେଳକୁ ସମ୍ଭବ କରିବା ଲାଗି ସହାୟତା କରିଥା’ନ୍ତି, କିନ୍ତୁ ନିଜେ କେବେ ଏହି ଖେଳ ଖେଳିନାହାନ୍ତି।

‘‘୧୯୮୧ ମସିହାଠାରୁ ମୁଁ କ୍ୟାରମ ବୋର୍ଡ ତିଆରି କରି ଆସୁଛି, କିନ୍ତୁ ମୁଁ କେବେ କ୍ୟାରମ ବୋର୍ଡ କିଣି ନାହିଁ କିମ୍ବା ଖେଳି ନାହିଁ। ଫୁରସତ କରିବାକୁ ସମୟ କାହିଁ?’’ ୬୨ ବର୍ଷ ବୟସ୍କ ମଦନ ପାଲ୍‌ ପ୍ରଶ୍ନ କରିଥା’ନ୍ତି। ଆମେ କଥାବାର୍ତ୍ତା ହେବା ସମୟରେ ମଧ୍ୟ ସେ ଓ ତାଙ୍କର ସହଯୋଗୀ କାରୀଗରମାନେ ନିଖୁଣ ଭାବେ ୨,୪୦୦ ଡଣ୍ଡା ବା ବବୁଲ୍‌ କାଠ ଖଣ୍ଡଗୁଡ଼ିକୁ ନିଖୁଣ ଭାବେ ଯୋଡ଼ିବାରେ ବ୍ୟସ୍ତ ରହିଛନ୍ତି । ଏଥିମଧ୍ୟରୁ ପ୍ରତ୍ୟେକ କାଠଖଣ୍ଡ ଆକାର ୩୨ କିମ୍ବା ୩୬ ଇଞ୍ଚ ହୋଇଥିବା ବେଳେ କାରୀଗରମାନେ ଏହାକୁ କାରଖାନାର ବାହାର କାନ୍ଥକୁ ଲାଗିଥିବା ଗଳିରେ ବିଛାଇ ଦେଇଥାନ୍ତି।

‘‘ମୁଁ ଏଠାରେ ସକାଳ ୮ଟା ୪୫ରେ ପହଞ୍ଚି ଯାଏ ଏବଂ ଆମେ ନଅଟା ସୁଦ୍ଧା କାମ ଆରମ୍ଭ କରିଥାଉ । ମୁଁ ଘରକୁ ଫେରିବା ବେଳକୁ ସନ୍ଧ୍ୟା ୭-୭.୩୦ ହୋଇଯାଏ,’’ ମଦନ ପାଲ କୁହନ୍ତି। ‘ଏଠାରେ,’ ଉତ୍ତରପ୍ରଦେଶର ମିରଟ ସହରରେ ଥିବା ସୁରଜ କୁଣ୍ଡ ସ୍ପୋର୍ଟସ୍‌ କଲୋନୀରେ ଛୋଟ କ୍ୟାରମ ବୋର୍ଡ କାରଖାନା ବା ଫ୍ୟାକ୍ଟରୀ ରହିଛି।

ମଦନ ମିରଟ ଜିଲ୍ଲା ପୂଠ୍‌ ଗ୍ରାମରେ ଥିବା ତାଙ୍କ ଘରେ ରୁହନ୍ତି। ସେ ସପ୍ତାହକୁ ଛଅ ଦିନ ସକାଳ ସାତଟାରୁ ଉଠି ୧୬ କିଲୋମିଟର ଦୂର ସାଇକେଲରେ ନିଜର କର୍ମସ୍ଥଳୀକୁ ଆସନ୍ତି।

ଛୋ ଟା ହା ଥୀ (ଆକ୍ଷରିକ ଅର୍ଥରେ, ଛୋଟ ହାତୀ - ବାସ୍ତବରେ ଏକ ମିନି ଟେମ୍ପୋ ଟ୍ରକ)ରେ ସବାର ହୋଇ ଦୁଇ ଜଣ ଟ୍ରାନ୍ସପୋର୍ଟର୍‌ ସେହି କ୍ଷଣି ମିରଟ ସହରର ତାରାପୁରୀ ଓ ଇସଲାମାବାଦ ଅଞ୍ଚଳରେ ଥିବା ସ’ମିଲ୍‌ରୁ କଟା ହୋଇଥିବା କାଠ ଖଣ୍ଡ ନେଇ ଆସିଛନ୍ତି।

‘‘ଏସବୁ କାଠ ଖଣ୍ଡରେ କ୍ୟାରମ ବୋର୍ଡର ବାହାର ଫ୍ରେମ ତିଆରି ହେବ କିନ୍ତୁ ସେଗୁଡ଼ିକୁ ପ୍ରଥମେ ଚାରିରୁ ଛଅ ମାସ ପାଇଁ ଶୁଖିବା ଲାଗି ବାହାରେ ରଖିବାକୁ ପଡ଼ିବ। ପବନ ଓ ଖରାରେ ଶୁଖିବା ଦ୍ୱାରା କାଠ ଖଣ୍ଡରୁ ଜଳୀୟ ଅଂଶ ବାହାରିଯାଏ, ସେଗୁଡ଼ିକ ସିଧା ହୋଇଥାଏ ଏବଂ ଫିମ୍ପି ଲାଗିନଥାଏ,’’ ମଦନ ବର୍ଣ୍ଣନା କରି କୁହନ୍ତି।

PHOTO • Shruti Sharma
PHOTO • Shruti Sharma

ବାମ : କରନ ପ୍ରତ୍ୟେକ ଡଣ୍ଡାକୁ ଅନୁଧ୍ୟାନ କରୁଛନ୍ତି ଏବଂ ଖରାପଗୁଡ଼ିକୁ ଫେରାଇ ଦେବା ଲାଗି ଅଲଗା କରୁଛନ୍ତି। ଡାହାଣ : ମଦନ (ଧଳା ସାର୍ଟ) ଓ  କରନ (ନୀଳ ସାର୍ଟ) କାରଖାନା ବାହାରେ ଥିବା ଗଳିରେ ୨,୪୦୦ ଡଣ୍ଡାକୁ ଧାଡ଼ି ଧାଡ଼ି କରି ରଖୁଛନ୍ତି

ଏଠାରେ ୧୦ ବର୍ଷ ଧରି କାମ କରି ଆସୁଥିବା ୩୨ ବର୍ଷ ବୟସ୍କ କରନ (ସେ କେବଳ ଏହି ନାଁରେ ପରିଚିତ) ପ୍ରତ୍ୟେକ ଡଣ୍ଡାକୁ ଅନୁଧ୍ୟାନ କରିଥାନ୍ତି ଏବଂ ଯେଉଁଗୁଡ଼ିକ ଖରାପ ହୋଇଯାଇଥାଏ ସେଗୁଡ଼ିକୁ ଫେରାଇବା ପାଇଁ ଅଲଗା କରନ୍ତି। ସେ କୁହନ୍ତି, ‘‘ଏଗୁଡ଼ିକ ଶୁଖିଯିବା ପରେ ଆମେ ଆରା ମେସିନ ୱାଲେ (ସ’ ମିଲ୍‌ ମାଲିକ)ଙ୍କ ପାଖକୁ ପଠାଇଥାଉ ସେଠାରେ ପ୍ରତ୍ୟେକ ଡଣ୍ଡା ର ଭିତର ପଟୁ ଗୋଟିଏ ପାଖ କିମ୍ବା ଲେବୁଲ୍‌ କଟାଯାଏ ଏବଂ ସେଗୁଡ଼ିକର ଅଗ୍ରଭାଗକୁ ତେରଚ୍ଛା କରାଯାଏ।’’

କରନ କୁହନ୍ତି, ‘‘ପ୍ଲାଇବୋର୍ଡର ଖେଳିବା ପୃଷ୍ଠଭାଗ କଟା ଯାଉଥିବା ଦ୍ୱିତୀୟ ସ୍ତରରେ ରହିଥାଏ, ଯାହାକି ଫ୍ରେମଠାରୁ ପାଖାପାଖି ଦୁଇ ସେଣ୍ଟିମିଟର ତଳେ ରହିଥାଏ। ଫ୍ରେମ୍‌ ଉପରେ ଖେଳାଳୀ ନିଜର କଚଟି ଓ ପାପୁଲି ରଖି ଖେଳିଥାନ୍ତି। ଏହା ଚାରିପଟେ ସୀମା ସୃଷ୍ଟି କରିଥାଏ ଯାହାଫଳରେ କଏନଗୁଡ଼ିକ ବୋର୍ଡରୁ ତଳକୁ ଖସି ନଯାଇ ଗୋଟିଏ ପଟୁ ଆଉ ଗୋଟିଏ ପଟକୁ ଯାଇପାରିଥାଏ। ବୋର୍ଡ ତିଆରି କରିବା କଷ୍ଟ କାମ ନୁହେଁ, କିନ୍ତୁ କଏନକୁ ଖେଳର ପୃଷ୍ଠଭାଗ ଉପରେ ଖସାଇବା ସହଜ କଥା ନୁହେଁ।’’

‘‘ଖେଳ ପୃଷ୍ଠଭାଗର ସାଧାରଣ ଆକାର ହେଉଛି ୨୯ x ୨୯ ଇଞ୍ଚ ଏବଂ ଫ୍ରେମ ସହିତ ବୋର୍ଡର ଆକାର ପାଖାପାଖି ୩୨ x୩୨ ହୋଇଯାଏ,’’ କାରଖାନାର ମାଲିକ ସୁନୀଲ ଶର୍ମା (୬୭) କହିଥାନ୍ତି। ‘‘ଏଗୁଡ଼ିକ ମାନ୍ୟତାପ୍ରାପ୍ତ ପ୍ରତିଯୋଗିତା ପାଇଁ ବ୍ୟବହାର କରାଯାଏ। କିନ୍ତୁ ଆମେ ଅର୍ଡରକୁ ଆଧାର କରି ବୋର୍ଡ ତିଆରି କରୁ ଏବଂ ଏହାର ଆକାର ପିଲାଙ୍କ ପାଇଁ ୨୦ x୨୦ ଇଞ୍ଚ ଠାରୁ ଆରମ୍ଭ କରି ୪୮ x୪୮ ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ। କ୍ୟାରମ ବୋର୍ଡ ତିଆରି କରିବା ଲାଗି ଚାରିଟି ମୁଖ୍ୟ ଜିନିଷ ଆବଶ୍ୟକ,’’ ସେ ବିସ୍ତୃତ ଭାବେ କୁହନ୍ତି। ‘‘ ବବୁଲ କାଠର ଫ୍ରେମ ; ଖେଳିବାର ପୃଷ୍ଠଭାଗ ପାଇଁ ପ୍ଲାଇବୋର୍ଡ; ପ୍ଲାଇବୋର୍ଡକୁ ଯଥାସ୍ଥାନରେ ଧରି ରଖିବା ପାଇଁ ଶାଗୁଆନ କିମ୍ବା ୟୁକାଲିପଟାସ କାଠରେ ଏକ ପୃଷ୍ଠ ଭାଗ (ଚକଡ଼ି) ଏବଂ କ୍ରୋକେଟ୍‌ କଏନ ପକେଟ। ଏସବୁ ଜିନିଷ ସ୍ଥାନୀୟ ଅଞ୍ଚଳରୁ ଅଣାଯାଏ,’’ ସେ ଆହୁରି କହିଥାନ୍ତି। ଯଦିଓ ତାଙ୍କର କେତେ ଜଣ ଯୋଗାଣକାରୀ ବାହାର ରାଜ୍ୟରୁ ସେମାନଙ୍କର ସାମଗ୍ରୀ ଆଣନ୍ତି।

‘‘୧୯୮୭ରେ ଦୁଇ ଜଣ ଦକ୍ଷ କ୍ୟାରମ୍‌ ନିର୍ମାତା - ଗଙ୍ଗା ବୀର୍‌ ଓ ସର୍ଦ୍ଦାର ଜିତେନ୍ଦ୍ର ସିଂ ମୋତେ ଏହି କାରିଗରୀର ସବୁ ଟିକିନିଖି କାମ ଶିଖାଇଥିଲେ। ଏହା ପୂର୍ବରୁ ଆମେ ବ୍ୟାଡମିଣ୍ଟର ରେକେଟ୍‌ ଓ କ୍ରିକେଟ୍‌ ବ୍ୟାଟ୍‌ ତିଆରି କରୁଥିଲୁ,’’ ସେ ସ୍ମରଣ କରି କୁହନ୍ତି।

ଶର୍ମା ତାଙ୍କର ଗୋଟିଏ ବଖୁରିକିଆ କାର୍ଯ୍ୟାଳୟରୁ କାରଖାନାର ପ୍ରବେଶପଥକୁ ଆସନ୍ତି ଯେଉଁଠି କାରୀଗରମାନେ ଥାକ ଉପରେ ଥାକ କରି ଡଣ୍ଡା ଗୁଡ଼ିକୁ ରଖୁଛନ୍ତି । ‘‘ଆମେ ୩୦-୪୦ ୟୁନିଟ୍‌ର ଲଟ୍‌ ଆକାରରେ କ୍ୟାରମ୍‌ ବୋର୍ଡ ତିଆରି କରୁ ଯାହା ପ୍ରସ୍ତୁତ ହେବା ଲାଗି ୪-୫ ଦିନ ସମୟ ନେଇଥାଏ। ଏବେ ଆମ ପାଖରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କଠାରୁ ୨୪୦ ପିସ୍‌ ଅର୍ଡର ଅଛି। ଆମେ ଆଜି ପର୍ଯ୍ୟନ୍ତ ସେଥିମଧ୍ୟରୁ ୧୬୦ଟି ତିଆରି କରି ପ୍ୟାକ୍‌ କରି ଦେଇଛୁ,’’ ସେ କହିଥାନ୍ତି।

PHOTO • Shruti Sharma
PHOTO • Shruti Sharma

ବାମ : କାରଖାନାର ମାଲିକ ସୁନୀଲ ଶର୍ମା ତିଆରି ହୋଇସାରିଥିବା ଗୋଟିଏ କ୍ୟାରମ ବୋର୍ଡ ସହ। ଡାହାଣ : ପ୍ରସ୍ତୁତିର ବିଭିନ୍ନ ପର୍ଯ୍ୟାୟରେ ଥିବା କ୍ୟାରମ ବୋର୍ଡ

୨୦୨୨ ଠାରୁ, ଭାରତୀୟ କ୍ୟାରମ ବୋର୍ଡ ବିଶ୍ୱର ୭୫ଟି ଦେଶ ଓ ଅଞ୍ଚଳକୁ ରପ୍ତାନି କରାଯାଉଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ରପ୍ତାନି ଓ ଆମଦାନୀ ତଥ୍ୟ ମୁତାବକ ରପ୍ତାନିର ମୂଲ୍ୟ ଏପ୍ରିଲ ୨୦୨୨ରୁ ଜାନୁଆରୀ ୨୦୨୪ ମଧ୍ୟରେ ପ୍ରାୟ ୩୯ କୋଟି ଟଙ୍କା ଥିଲା। ଆମେରିକା, ସାଉଦି ଆରବ, ୟୁଏଇ, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ୟେମେନ, ନେପାଳ, ବେଲଜିୟମ, ନେଦରଲ୍ୟାଣ୍ଡ ଓ କତାର (ପର୍ଯ୍ୟାୟକ୍ରମେ)ରୁ ସର୍ବାଧିକ ଲାଭ ଆସିଥିଲା।

ଏସବୁ ରପ୍ତାନି ଆୟ ବିଦେଶରେ ବିକ୍ରି ହୋଇଥିବା ପାଖାପାଖି ଦଶ ଲକ୍ଷ କ୍ୟାରମ ବୋର୍ଡରୁ ହୋଇଥିଲା। କ୍ରେତା ଦେଶଗୁଡ଼ିକ ମଧ୍ୟରେ ଭାରତୀୟ ମହାସାଗରରେ ଥିବା ମାୟୋଟ୍ଟେ, ପ୍ରଶାନ୍ତ ମହାସାଗରରେ ଥିବା ଫିଜି ଦ୍ୱୀପ ଏବଂ କାରବିଆନ୍‌ ସାଗରରେ ଥିବା ଜାମାଇକା ଓ ସେଣ୍ଟ ଭିନସେଣ୍ଟ ଆଦି ଦ୍ୱୀପ ରାଷ୍ଟ୍ର ସାମିଲ ରହିଛନ୍ତି।

ୟୁଏଇକୁ ସର୍ବାଧିକ କ୍ୟାରମ ବୋର୍ଡ ରପ୍ତାନି ହୋଇଥିବା ବେଳେ ଏହା ପଛକୁ ନେପାଳ, ମାଲେସିଆ, ସାଉଦି ଆରବ ଓ ୟେମେନ୍‌ ରହିଛନ୍ତି।

ଘରୋଇ ବିକ୍ରି ସଂକ୍ରାନ୍ତରେ କୌଣସି ତଥ୍ୟ ନାହିଁ। ଯଦି ଏହି ତଥ୍ୟ ଥାଆନ୍ତା, ତା’ହେଲେ ସଂଖ୍ୟା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ହୋଇଥା’ନ୍ତା।

‘‘କୋଭିଡ-୧୯ ସମୟରେ ଆମକୁ ଅଧିକ ଘରୋଇ ଅର୍ଡର ମିଳିଥିଲା କାରଣ ସମସ୍ତେ ଘରେ ବନ୍ଦୀ ହୋଇ ରହିଥିଲେ। ସେମାନେ ବୋର୍‌ ହେବାରୁ ମୁକ୍ତ ହେବା ପାଇଁ ଚାହୁଁଥିଲେ,’’ ସୁନୀଲ ଶର୍ମା କୁହନ୍ତି। ‘‘ଆଉ ଏକ ଦିଗ ମୁଁ ଅନୁଧ୍ୟାନ କରିଛି,’’ ସେ ଆହୁରି କହିଥାନ୍ତି, ‘‘ତାହା ହେଉଛି ରମଜାନ ମାସ ପୂର୍ବରୁ ଆରବ ଦେଶରେ ଚାହିଦା ଅଧିକ ବୃଦ୍ଧି ପାଇବା।’’

‘‘ମୁଁ ନିଜେ ବହୁତ କ୍ୟାରମ୍‌ ଖେଳିଛି। ଅବସର ବିନୋଦନ ପାଇଁ ଏହି ଖେଳ ବେଶ ଲୋକପ୍ରିୟ,’’ ଶର୍ମା କୁହନ୍ତି। ‘‘କିନ୍ତୁ,’’ ସେ ଆହୁରି କହିଥାନ୍ତି, ‘‘ଏହାବ୍ୟତୀତ ଔପଚାରିକ ଘରୋଇ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥାଏ। ତେବେ ଅନ୍ୟ ଖେଳର ମ୍ୟାଚ୍‌ ଭଳି ଏସବୁର ସିଧାପ୍ରସାରଣ ହୁଏ ନାହିଁ।’’

PHOTO • Shruti Sharma

କ୍ୟାରମ ବୋର୍ଡ ତିଆରି ହେଉଥିବା କାରଖାନା ଭିତର ପରିସର

‘ଆମେ ୩୦-୪୦ ୟୁନିଟ୍‌ର ଲଟ୍‌ ଆକାରରେ କ୍ୟାରମ୍‌ ବୋର୍ଡ ତିଆରି କରୁ ଯାହା ପ୍ରସ୍ତୁତ ହେବା ଲାଗି ୪-୫ ଦିନ ସମୟ ନେଇଥାଏ। ଏବେ ଆମ ପାଖରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଠାରୁ ୨୪୦ ପିସ୍‌ ଅର୍ଡର ଅଛି। ଆମେ ଆଜି ପର୍ଯ୍ୟନ୍ତ ସେଥିମଧ୍ୟରୁ ୧୬୦ଟି ତିଆରି କରି ପ୍ୟାକ୍‌ କରି ଦେଇଛୁ,’ ସୁନୀଲ ଶର୍ମା କୁହନ୍ତି

ଭାରତରେ ଔପଚାରିକ କ୍ୟାରମ ସହ ଜଡ଼ିତ କାର୍ଯ୍ୟକ୍ରମଗୁଡ଼ିକୁ ଅଖିଳ ଭାରତୀୟ କ୍ୟାରମ୍‌ ମହାସଂଘ (ଏଆଇସିଏଫ) ଏହା ଅଧୀନରେ ମାନ୍ୟତା ଲାଭ କରିଥିବା ରାଜ୍ୟ ଓ ଜିଲ୍ଲା ସଂଘଗୁଡ଼ିକ ନିୟନ୍ତ୍ରଣ ଓ ପରିଚାଳନା କରିଥାନ୍ତି। ୧୯୫୬ରେ ପ୍ରତିଷ୍ଠା ହୋଇଥିବା ଏବଂ ଚେନ୍ନାଇ ସ୍ଥିତ ଏଆଇସିଏଫ, ଅନ୍ତର୍ଜାତୀୟ କ୍ୟାରମ ମହସଂଘ ଏବଂ ଏସୀୟ କ୍ୟାରମ ମହାସଂଘଠାରୁ ମାନ୍ୟତା ଲାଭ କରିଛି। ଏଆଇସିଏଫ ସମସ୍ତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳକୁ ପ୍ରସ୍ତୁତ କରିଥାଏ ଏବଂ ସେମାନଙ୍କୁ ନିୟୋଜିତ କରିଥାଏ।

ଯଦିଓ ବିଶ୍ୱ ମାନ୍ୟତା ଅନ୍ୟ ଖେଳ ଭଳି ବ୍ୟବସ୍ଥିତ ଓ ସ୍ପଷ୍ଟ ନୁହେଁ, ତଥାପି ଭାରତ ନିଶ୍ଚିତ ଭାବେ କ୍ୟାରମ ଖେଳୁଥିବା ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ଭାରତର ରଶ୍ମୀ କୁମାରୀଙ୍କୁ ମହିଳା କ୍ୟାରମରେ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ ଭାବେ ବିବେଚନା କରାଯାଇଥାଏ। ଆହୁରି ଚେନ୍ନାଇର ୬୮ ବର୍ଷ ବୟସ୍କ ଏ. ମାରିୟା ଇରୁଦାୟମ ଦୁଇ ଥର ପୁରୁଷ ବିଶ୍ୱ କ୍ୟାରମ ଚାମ୍ପିଅନ୍‌ ଏବଂ ନଅ ଥର ଜାତୀୟ ଚାମ୍ପିଅନ୍‌ ହୋଇଛନ୍ତି। ଇରୁଦାୟମ ଏକମାତ୍ର ଭାରତୀୟ ଖେଳାଳୀ ଯାହାଙ୍କୁ କ୍ୟାରମ ଖେଳ ପାଇଁ ଅର୍ଜ୍ଜୁନ ପୁରସ୍କାର ମିଳିଛି। ଏହା ପ୍ରାୟ ତିନି ଦଶନ୍ଧି ପୂର୍ବରୁ ୧୯୯୬ରେ ହୋଇଥିଲା। ଅର୍ଜ୍ଜୁନ ପୁରସ୍କାର ହେଉଛି ଭାରତର ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର, ଯାହା ପ୍ରତିବର୍ଷ ପ୍ରଦାନ କରାଯାଇଥାଏ।

*****

କାରଖାନାର ଚଟାଣ ଉପରେ ଆଣ୍ଠୁ ମାଡ଼ି ବସିଥିବା କରନଙ୍କ ପାଖରେ ଚାରଟି ଡଣ୍ଡା ପଡ଼ିଛି, ଏଥିମଧ୍ୟରୁ ପ୍ରତ୍ୟେକକୁ ସେ ଥର ଥର କରି ନିଜ ଗୋଡ଼ ତଳେ ଚାପି ଧରୁଛନ୍ତି ଏବଂ ସେଗୁଡ଼ିକର ତେରେଚ୍ଛା ମୁଣ୍ଡକୁ ଚାରି କୋଣ ବିଶିଷ୍ଟ ଫ୍ରେମ ତିଆରି କରିବା ଲାଗି ଭିଡ଼ୁଛନ୍ତି। ସେ ଚାରି କୋଣକୁ ଯୋଡ଼ିବା ଲାଗି ଆଠଟି ନଳି ଭଳି ଲୁହା ଖିଲକୁ ହାତୁଡ଼ିରେ ପିଟୁଛନ୍ତି, ଏଗୁଡ଼ିକୁ ସ୍ଥାନୀୟ ଭାଷାରେ କଂଘୀ (ପାନିଆ) ବୋଲି କୁହାଯାଏ। କରନ କୁହନ୍ତି, ‘‘ କିଲ୍ ସେ ବେହତର ଜଏନ୍ କରତି ହେ କଂଘୀ (କଣ୍ଟା ଅପେକ୍ଷା କଂଘୀରେ ଭଲ ଭାବେ ଯୋଡ଼ି ହୁଏ)।’’

ଥରେ ଏହି ଫ୍ରେମ ଠିକ୍‌ ହୋଇଯିବା ପରେ, ଅମରଜିତ ସିଂହ (୫୦) ରେତୀ (ଧାତୁ ଫାଇଲ) ଉପଯୋଗ ଏହାର ଧାରକୁ ଗୋଲ ଆକୃତି ଦିଅନ୍ତି। ସେ କୁହନ୍ତି, ‘‘ମୋର ଦୁଗ୍ଧ ବ୍ୟବସାୟ ଥିଲା। ହେଲେ ସେଥିରେ କ୍ଷତି ହେଲା, ତେଣୁ ମୁଁ ତିନି ବର୍ଷ ପୂର୍ବରୁ କ୍ୟାରମ ବୋର୍ଡ ତିଆରି କରିବା ଆରମ୍ଭ କରିଛି।’’

ସ’ ମିଲ୍‌ରେ କାଠ କଟାଯିବା ପରେ ଫ୍ରେମର ପୃଷ୍ଠଭାଗ ଉପରେ ଛୋଟ ଛୋଟ କାଠ ଖଣ୍ଡ ରହିଯାଇଛି। ଅମରଜିତ ପୁଣିଥରେ ଲୋହେ କି ପଟ୍ଟି (ଛୋଟ ଚେପଟା ଲୁହା ଫାଇଲ୍‌) ଉପଯୋଗ କରି ଫ୍ରେମର ପୃଷ୍ଠଭାଗ ଉପରେ ମରମ୍ମତ୍‌ ବା ମାଟିଆ ରଙ୍ଗର ଏକ ପେଷ୍ଟ ଲଗାଉଛନ୍ତି। ଏହା ଚକ୍‌ ମିଟି (ଚକ୍‌ ଗୁଣ୍ଡ) ଏବଂ ମୋଭିକଲ୍‌ ନାମକ କାଠ ଅଠାର ମିଶ୍ରଣରେ ତିଆରି ହୋଇଛି।

‘‘ଏହାଦ୍ୱାରା କାଠର ଅସମାନ ପୃଷ୍ଠଭାଗରେ ଥିବା ଖାଲ ଭରିଯାଏ ଏବଂ କାଠ ଖଣ୍ଡ ମଧ୍ୟ ସମତଳ ହୋଇଯାଏ,’’ ସେ କୁହନ୍ତି। ପୁଣି ସେ କହିଥାନ୍ତି, ‘‘ଏହି ପେଷ୍ଟକୁ ବାରୁଦ୍ କି ମରମ୍ମତ କୁହାଯାଏ।’’ ଥରେ ଏହି ପେଷ୍ଟ ଶୁଖିଯିବା ପରେ, ଖେଳିବାର ପ୍ଲାଇବୋର୍ଡ ଲାଗୁଥିବା ଷ୍ଟେପ୍‌ ଉପରେ କଳା ମରମ୍ମତ ପରସ୍ତ ଭରି ଦିଆଯାଇଥାଏ।

PHOTO • Shruti Sharma
PHOTO • Shruti Sharma

କରନ ଚାରିଟି ଡଣ୍ଡାକୁ ପାଦରେ ଚାପି ଧରି ସେଗୁଡ଼ିକର ତେରଚ୍ଛା ଅଗ୍ରଭାଗ (ବାମ)କୁ ଭିଡ଼ି ଚାରି କୋଣିଆ ଫ୍ରେମ ତିଆରି କରୁଛନ୍ତି। ଏହାପରେ ଚାରିଟି କୋଣକୁ ଯୋଡ଼ିବା ଲାଗି ଆଠଟି କଂଘୀ (ନଳି ଭଳି ଲୁହାର ଖିଲ)କୁ ହାତୁଡ଼ିରେ ପିଟୁଛନ୍ତି

PHOTO • Shruti Sharma
PHOTO • Shruti Sharma

ଥରେ ଫ୍ରେମ ଲାଗିଯିବା ପରେ, ଅମରଜିତ ସିଂ ଏକ ରେତି (ଫାଇଲର) ବ୍ୟବହାର କରି ଧାର (ବାମ)ଗୁଡ଼ିକୁ ଗୋଲାକୃତି ଦେଉଛନ୍ତି। ତା’ପରେ, ସେ  ଚେପଟା ଲୁହା ଫାଇଲ୍‌) ଉପଯୋଗ କରି ଫ୍ରେମର ପୃଷ୍ଠଭାଗ ଉପରେ ମରମ୍ମତ୍‌ (ପେଷ୍ଟ) ଲଗାଉଛନ୍ତି ଯାହାକି ଚକ୍‌ ମିଟି (ଚକ୍‌ ଗୁଣ୍ଡ) ଏବଂ ମୋଭିକଲ୍‌ ନାମକ କାଠ ଅଠାର ମିଶ୍ରଣରେ ତିଆରି ହୋଇଛି

ଏହାପରେ ବୋର୍ଡର ପରିସୀମା ଭିତର ଷ୍ଟେପ୍‌ରେ, ଶୀଘ୍ର ଶୁଖୁଥିବା, ଜଳ ପ୍ରତିରୋଧୀ, କଳା ଡୁକୋ ରଙ୍ଗ ଲଗାଯାଇଥାଏ ଏବଂ ଶୁଖିବା ପରେ ରେଗମାଲ (ବାଲି କାଗଜ) ସହାୟତାରେ ଚିକ୍କଣ କରାଯାଇଥାଏ। ଅମରଜିତ କୁହନ୍ତି, ‘‘ଥରେ ପ୍ଲାଇବୋର୍ଡ ଏହା ଉପରେ ଫିଟ୍‌ ହୋଇଯିବା ପରେ ଫ୍ରେମର ଏହି ଭାଗ ଦୁର୍ଗମ ହୋଇଯାଏ, ସେଥିପାଇଁ ଏହାକୁ ଆଗରୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ।’’

‘‘ଏଠାରେ ଆମେ ପାଞ୍ଚ ଜଣ କାରୀଗର ଅଛୁ ଏବଂ ଆମେ ସମସ୍ତେ ସବୁ କାର୍ଯ୍ୟରେ ଦକ୍ଷ,’’ ଧରମ ପାଲ (୫୫) କୁହନ୍ତି। ସେ ଗତ ୩୫ ବର୍ଷ ଧରି ଏହି କାରଖାନାରେ କାମ କରୁଛନ୍ତି।

‘‘ଯେତେବେଳେ ଆମକୁ କିଛି ସଂଖ୍ୟାରେ ଅର୍ଡର ମିଳିଥାଏ ଆମେ ପ୍ରଥମେ ପ୍ଲାଇବୋର୍ଡ ଖେଳ ପୃଷ୍ଠଭାଗ ତିଆରି କରୁ,’’ ଧରମ କୁହନ୍ତି। ଏହି ସମୟରେ ସେ, ମଦନ ଓ କରନ ପ୍ରସ୍ତୁତ ହୋଇସାରିଥିବା ପ୍ଲାଇବୋର୍ଡକୁ ଆଣନ୍ତି, ଯାହାକୁ ଫ୍ରେମରେ ଲଗାଯିବ। ‘‘ଆମେ ପ୍ଲାଇବୋର୍ଡର ଛିଦ୍ରକୁ ଭରିବା ଲାଗି ସମ୍ପୂର୍ଣ୍ଣ ପୃଷ୍ଠଭାଗ ଉପରେ ସିଲର ଲଗାଇଥାଉ ଯାହା ଏହାକୁ ଜଳନିରୋଧୀ ମଧ୍ୟ କରିଥାଏ। ଏହାପରେ ଆମେ ଏହାକୁ ବାଲି କାଗଜ ଘସି ଚିକ୍କଣ କରିଥାଉ,’’ ସେ କହିଥାନ୍ତି।

‘‘ପ୍ଲାଇବୋର୍ଡ ଅତି ଖଦଡ଼ା ହୋଇଥିବା ବେଳେ ଖେଳିବାର ପୃଷ୍ଠଭାଗ କେତେ ଚିକ୍କଣ ତାହା ଉପରେ କ୍ୟାରମ ବୋର୍ଡର ମୁଖ୍ୟ ଆକର୍ଷଣ ନିର୍ଭର କରିଥାଏ। କ୍ୟାରମ ବୋର୍ଡର କଏନ୍‌ଗୁଡ଼ିକ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଦ୍ରୁତ ଗତିରେ ଏପଟସେପଟ ହେବା ଉଚିତ୍‌,’’ ନିଜ ତର୍ଜନୀ ଆଙ୍ଗୁଠି ମୁଣ୍ଡକୁ ହଲେଇ କଏନ୍‌ର ଗତିକୁ ଦର୍ଶାଇ ଶର୍ମା କୁହନ୍ତି। ‘‘ଆମେ ଆମ୍ବ ଫେସ୍‌ କିମ୍ବା ମକଇ ଗଛ ଫେସ୍‌ର ପ୍ଲାଇବୋର୍ଡ ବ୍ୟବହାର କରିଥାଉ ଯାହାକୁ ସ୍ଥାନୀୟ ବ୍ୟବସାୟୀମାନେ କୋଲକାତାରୁ କିଣନ୍ତି,’’ ସେ କହିଥାନ୍ତି।

‘‘୧୯୮୭ ମସିହାରେ ଆମେ ଯେତେବେଳେ କାମ ଆରମ୍ଭ କଲୁ,  ଖେଳିବାର ପୃଷ୍ଠଭାଗ ଉପରେ ହାତରେ ରଙ୍ଗ କରି ଚିହ୍ନ କରାଯାଉଥିଲା। ଏହି କାମ ଅତି ନିଖୁଣ ଓ ସମୟ ସାପେକ୍ଷ ଥିଲା। ସେତେବେଳେ କାରୀଗର ଦଳରେ ଜଣେ ଚିତ୍ରକର ମୁଖ୍ୟ ସଦସ୍ୟ ଥିଲେ,’’ ସୁନୀଲ କୁହନ୍ତି । ‘‘କିନ୍ତୁ ଏବେ, ଆମେ ଦ୍ରୁତ ଗତିରେ ଗୋଟିଏ ପରେ ଗୋଟିଏ ଖେଳିବା ପୃଷ୍ଠ ଉପରେ ଆମେ ଦ୍ରୁତ ଗତିରେ ସ୍କ୍ରିନ୍‌ ପ୍ରିଣ୍ଟ କରିପାରୁଛୁ,’’ କାରଖାନାର ଉଚ୍ଚ କାନ୍ଥ ଉପରେ ଝୁଲୁଥିବା ବର୍ଗାକୃତି ସ୍କ୍ରିନ୍‌ ଆଡ଼କୁ ଇସାରା କରି ସେ କହିଥାନ୍ତି। ଏହାର ଅର୍ଥ ମଧ୍ୟ ହେଉଛି ଯେ ବିଗତ ତିନି ଚାରି ଦଶନ୍ଧିରେ, ଅଧିକାଂଶ ଖେଳ ଉପକରଣ ଉଦ୍ୟୋଗ ଭଳି ଏଠାରୁ ମଧ୍ୟ କଳାକାର ଅଦୃଶ୍ୟ ହୋଇଗଲେ।

ସ୍କ୍ରିନ୍‌ ପ୍ରିଣ୍ଟିଂ ଏକ ଷ୍ଟେନସିଲିଂ କୌଶଳ ଅଟେ ଯାହା ରଙ୍ଗକୁ କେତେକ ନିର୍ଦ୍ଦିଷ୍ଟ ଜାଗା ଅତିକ୍ରମ କରିବାରୁ ଅଟକାଉଥିବା ବେଳେ ଜରୁରୀ ଜାଗାରେ ଲଗାଇଥାଏ। ‘‘ପ୍ରତ୍ୟେକ ପୃଷ୍ଠଭାଗ ଉପରେ ଆମେ ଦୁଇଟି ଭିନ୍ନ ଭିନ୍ନ ସ୍କ୍ରିନ୍‌ ବ୍ୟବହାର କରୁ। ପ୍ରଥମଟି ନାଲି ଚିତ୍ର ଏବଂ ଦ୍ୱିତୀୟଟି କଳା ଚିତ୍ର ପାଇଁ,’’ ଧରମ ପାଲ କୁହନ୍ତି। ଏବେକାର ୨୪୦ଟି କ୍ୟାରମ ବୋର୍ଡର ଅର୍ଡର ପାଇଁ, ସବୁ ପ୍ଲାଇବୋର୍ଡ ଚିତ୍ରଣ କାମ ଶେଷ ହୋଇସାରିଛି ।

PHOTO • Shruti Sharma
PHOTO • Shruti Sharma

ବାମ : ଧରମ, ମଦନ ଓ କରନ ପୂର୍ବରୁ ସ୍କ୍ରିନ୍‌-ପ୍ରିଣ୍ଟ ହୋଇଥିବା ପ୍ଲାଇବୋର୍ଡ ପୃଷ୍ଠଭାଗଗୁଡ଼ିକୁ ଆଣୁଛନ୍ତି, ସେଗୁଡ଼ିକୁ ଫ୍ରେମ୍‌ ସହିତ ଲଗାଯିବ । ଡାହାଣ : ବିଭିନ୍ନ ଆକାରର କ୍ୟାରମ ବୋର୍ଡ ପାଇଁ ସ୍କ୍ରିନ୍‌

PHOTO • Shruti Sharma
PHOTO • Shruti Sharma

ବାମ : କାରୀଗରମାନେ ଚା’ ପିଉଥିବା ଷ୍ଟିଲ୍‌ ପାତ୍ର ଓ ଗିଲାସ। ଡାହାଣ : ରାଜେନ୍ଦର ଓ ଅମରଜିତ କାରଖାନାର ଚଟାଣ ଉପରେ କିଛି ଜାଗା ଖାଲି କରି ସେଠାରେ ଏକ ପତଳା କମ୍ବଳ ବିଛାଉଛନ୍ତି ଯାହା ଉପରେ ସେମାନେ ମଧ୍ୟାହ୍ନ ଭୋଜନ ସମୟରେ ୧୨-୧୫ ମିନିଟ୍‌ ପାଇଁ ସାମାନ୍ୟ ଶୋଇପଡ଼ିବେ

ଏବେ ଦିନ ଗୋଟାଏ ବାଜି ସାରିଛି ଏବଂ କାରୀଗରମାନେ ମଧ୍ୟାହ୍ନ ଭୋଜନ ପାଇଁ ବିରତି ନେଇଛନ୍ତି। ‘‘ଗୋଟିଏ ଘଣ୍ଟାର ବିରତି, କିନ୍ତୁ ସେମାନେ ଦେଢ଼ଟା ବେଳକୁ କାମକୁ ଫେରିବେ ଯାହାଫଳରେ ସନ୍ଧ୍ୟାରେ ସେମାନେ ଅଧଘଣ୍ଟା ଆଗରୁ ଅର୍ଥାତ୍‌ ସାଢ଼େ ୫ଟାରେ ଘରକୁ ଯାଇପାରିବେ,’’ ମାଲିକ ସୁନୀଲ ଶର୍ମା କୁହନ୍ତି।

କାରୀଗରମାନେ ଘରୁ ମଧ୍ୟାହ୍ନ ଭୋଜନ ପାଇଁ ଖାଇବା ଆଣିଛନ୍ତି ଏବଂ କାରଖାନା ପରିସର ପଛରେ ଥିବା ଏକ ଖୋଲା ଓ ବୋହିଯାଉଥିବା ନାଲା (ଡ୍ରେନ୍‌) କଡ଼ରେ ତରବର ହୋଇ କିଛି ଖାଇ ଦେଉଛନ୍ତି। ରାଜେନ୍ଦ୍ର କୁମାର (୫୦) ଏବଂ ଅମରଜିତ କାରଖାନା ଚଟାଣ ଉପରେ କିଛି ଜାଗା ଖାଲି କରୁଛନ୍ତି ଏବଂ ଗୋଟିଏ ପତଳା କମ୍ବଳ ବିଛାଉଛନ୍ତି ଯାହାଉପରେ ସେମାନେ ୧୨-୧୫ ମିନିଟ୍‌ ପର୍ଯ୍ୟନ୍ତ ସାମାନ୍ୟ ବିଶ୍ରାମ ନେଉଛନ୍ତି। ନିଦ ଲାଗିଯିବା ପୂର୍ବରୁ ସେମାନଙ୍କର ଉଠିବା ସମୟ ହୋଇଯାଉଛି।

‘‘ ବସ୍ ପୀଠ୍ ସୀଧି କରନି ଥି (ପିଠିକୁ ସାମାନ୍ୟ ବିଶ୍ରାମ ଦେବାର ଥିଲା), ଅମରଜିତ କୁହନ୍ତି । ସେମାନେ ତୁରନ୍ତ ନିଜ ନିଜର ଷ୍ଟେନଲେସ୍‌ ଷ୍ଟିଲ୍‌ ଗିଲାସରେ ପାଖ ଦୋକାନରୁ ଷ୍ଟିଲ୍‌ କେଟିଲିରେ ଆସିଥିବା କ୍ଷୀର ଚା’ ପିଉଛନ୍ତି। ଏହାପରେ କାମକୁ ଫେରୁଛନ୍ତି।

ପ୍ରଥମେ ପ୍ଲାଇବୋର୍ଡ ତିଆରି ହେବା ପରେ, ପରବର୍ତ୍ତୀ ପଦକ୍ଷେପ ହେଉଛି ପ୍ରତ୍ୟେକ ଉପରେ ଚକଡ଼ି ଲଗେଇବା। ‘‘ଗୋଟିଏ ଚକଡ଼ି ପ୍ଲାଇବୋର୍ଡର ପଛ ଭାଗକୁ ସାହାରା ଦେଇଥାଏ,’’ ଏଠାରେ ୨୦ ବର୍ଷ ଧରି କାମ କରୁଥିବା ରାଜେନ୍ଦର କୁହନ୍ତି । ‘‘ପରସ୍ପର ସହ ଛନ୍ଦି ହୋଇ ରହିଥିବା ଭୁଲମ୍ବ କିମ୍ବା ଭୂସମାନ୍ତର ରେଖାର ପାଟର୍ଣ୍ଣ ତିଆରି କରିବା ଲାଗି ଶାଗୁଆନ କିମ୍ବା ଇଉକାଲିପଟାସ କାଠର ପତଳା ପଟ୍ଟିକୁ କଣ୍ଟା ବାଡ଼େଇ ଏବଂ ଅଠାରେ ଲଗାଇ ତିଆରି କରାଯାଏ।

ଇସ୍ କାମ୍ କେ ପେହଲେ ମେଁ ଦିୱାର୍ କି ପୁତାଇ କରତା ଥା (ଏହି କାମ କରିବା ପୂର୍ବରୁ ମୁଁ କାନ୍ଥ ହ୍ୱାଇଟ୍‌ୱାଶ କାମ କରୁଥିଲି),’’ ସେ ଆହୁରି କହିଥାନ୍ତି।

‘‘କେସରଗଞ୍ଜରେ ଥିବା ମେହତାବ ସିନେମା ଅଞ୍ଚଳରେ ମୁସଲିମ କାରୀଗରଙ୍କଠାରୁ ଆମେ ଚକଡ଼ି କିଣିଥାଉ। ମିରଟରେ କେତେଜଣ କାଠ କାରୀଗର ଅଛନ୍ତି ଯେଉଁମାନେ କେବଳ ଚକଡ଼ି ତିଆରି କରିବାରେ ଦକ୍ଷ,’’ ସୁନୀଲ ଶର୍ମା କହିଥା’ନ୍ତି।

PHOTO • Shruti Sharma
PHOTO • Shruti Sharma

ବାମ : ରାଜେନ୍ଦର ମଦନ ଏକ ମୋଟା ପେଣ୍ଟ ବ୍ରଶ ଉପଯୋଗ କରି ମଝିରେ ଥିବା ୪୦ଟି ଚକଡ଼ି ଉପରେ ଫେବିକଲ ଲଗାଉଛନ୍ତି ଡାହାଣ : କରନ ଗୋଟିଏ ପରେ ଗୋଟିଏ ଚକଡ଼ି ଉଠାଇ ସେଗୁଡ଼ିକ ଉପରେ ପ୍ରିଣ୍ଟେଡ୍ ପ୍ଲାଇବୋର୍ଡ ଲଗାଇବାର କାମ କରୁଛନ୍ତି

ମଦନ ସାମ୍ନାରେ ରାଜେନ୍ଦର ସେହି ଜାଗାରେ ବସିଛନ୍ତି, ଯେଉଁଠି କିଛି ସମୟ ପୂର୍ବରୁ ସେ ଶୋଇଥିଲେ। ସେମାନଙ୍କ ମଝିରେ ୪୦ଟି ଚକଡ଼ି ଗଦା ହୋଇଛି, ଯେଉଁଥିରେ ସେ ଗୋଟିଏ ମୋଟା ପେଣ୍ଟ ବ୍ରଶ ସାହାଯ୍ୟରେ ଗୋଟିଏ ପରେ ଗୋଟିଏ କରି ଫେବିକଲ ଲଗାଉଛନ୍ତି। କରନ ଏଠାରେ ସବୁଠୁ ସାନ କାରୀଗର ହୋଇଥିବା କାରଣରୁ ଅଧିକ ସ୍ଫୁର୍ତ୍ତିମାନ ଅଛନ୍ତି। ସେ ଗୋଟିଏ ପରେ ଗୋଟିଏ ଚକଡ଼ି ଉଠାଇ ତା’ ଉପରେ ପ୍ଲାଇବୋର୍ଡ ଲଗାଇବା କାମ କରୁଛନ୍ତି ।

‘‘ସାଧାରଣତଃ କାମ ଦିନ ଶେଷରେ ଆମେ ଚକଡ଼ି ଚିପକାନା (ଚକଡ଼ି ଲଗାଇବା) କାମ କରିଥାଉ। ମୁଁ ପ୍ଲାଇବୋର୍ଡକୁ ପରସ୍ପର ଉପରେ ରଖୁଛି ଏବଂ ତା’ପରେ ଆମେ ସବୁଠୁ ଉପର ଖଣ୍ଡରେ ଗୋଟିଏ ଭାରୀ ବସ୍ତୁ ରଖିବୁ ଏବଂ ତାହାକୁ ରାତି ସାରା ଛାଡ଼ିଦେବୁ, ଯାହାଫଳରେ ଏହା ଠିକ୍‌ ଭାବେ ଲାଗିଯିବ,’’ କରନ୍‌ କହିଥା’ନ୍ତି।

ଏବେ ଅପରାହ୍ଣ ୫ଟା ୧୫ ହେଲାଣି। କାରୀଗରମାନେ ସେମାନଙ୍କ କାମ ସାରିବାକୁ ତରବର ହେଉଛନ୍ତି। ‘‘ଆସନ୍ତାକାଲି ସକାଳେ, ଆମେ ଫ୍ରେମ୍‌ ଉପରେ ପ୍ଲାଇବୋର୍ଡ ଲଗାଇବୁ,’’ କରନ କୁହନ୍ତି। ‘‘ମୋ ବାପା ମଧ୍ୟ ଆଉ ଗୋଟିଏ କାରଖାନାରେ କ୍ରୀଡ଼ା ସାମଗ୍ରୀ କାରୀଗର ଥିଲେ। ସେ କ୍ରିକେଟ୍‌ ବ୍ୟାଟ୍‌ ଓ ଷ୍ଟମ୍ପ ତିଆରି କରୁଥିଲେ,’’ ସେ ଆହୁରି କହିଥାନ୍ତି।

*****

ପରଦିନ ଠିକ୍‌ ସକାଳ ୯ଟାରେ କାମ ଆରମ୍ଭ ହୁଏ। ଚା’ ପିଇସାରିବା ପରେ ରାଜେନ୍ଦର, ମଦନ, କରନ ଓ ଧରମ କାରଖାନା ଭିତରେ ନିଜର ଟେବୁଲ ପାଖରେ ବସି ତିନୋଟି ରେଖାକୃତି କାମ କରନ୍ତି। ଅମରଜିତ ବାହାର ଗଲି (ଗଳି) ରେ ଫ୍ରେମର ଧାରକୁ ଫାଇଲ ମାରିବା କାମ କରୁଛନ୍ତି।

କରନ ଓ ଧରମ ମିଶି ପ୍ଲାଇବୋର୍ଡ-ଚକଡ଼ିକୁ ଗୋଟି ଗୋଟି ଯୋଡ଼ି, ଫାଇଲ ମାରି ଏବଂ ରଙ୍ଗ କରି ଫ୍ରେମରେ ଲଗାଇବା ଆରମ୍ଭ କରନ୍ତି। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବୋର୍ଡର ଧାରରେ ଥିବା ଚକଡ଼ି ଉପରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ କଣ୍ଟା ବାଡ଼େଇବା କାମ କରନ୍ତି।

‘‘ଗୋଟିଏ ବୋର୍ଡକୁ ଫ୍ରେମରେ ଲଗାଇବାକୁ ହେଲେ ଚାରି ଡଜନ ଛୋଟ କଣ୍ଟା ଆବଶ୍ୟକ ହୁଏ,’’ ଧରମ କୁହନ୍ତି। ଆଶ୍ଚର୍ଯ୍ୟଜନକ ଭାବେ, ମାତ୍ର ଦୁଇ ଜଣ କାରୀଗର ସେହି ୪୮ଟି କଣ୍ଟାକୁ ପାଖାପାଖି ୧୪୦ ସେକେଣ୍ଡ ମଧ୍ୟରେ ପିଟି ଦିଅନ୍ତି, ଏହାପରେ ସେମାନେ ମଦନଙ୍କ କାର୍ଯ୍ୟସ୍ଥଳୀ ପାଖ ଖୁଣ୍ଟ ନିକଟରେ ବୋର୍ଡକୁ ଲଗାଇ ଦିଅନ୍ତି।

PHOTO • Shruti Sharma
PHOTO • Shruti Sharma

କରନ ଓ ଧରମ ପ୍ଲାଇବୋର୍ଡ ଏବଂ ଚକଡ଼ିକୁ ଯୋଡ଼ି ହୋଇଥିବା, ଏକାଠି ହୋଇଥିବା ଏବଂ ରଙ୍ଗ କରାଯାଇଥିବା ଫ୍ରେମରେ ଲଗାଉଛନ୍ତି

ଆଜି, କ୍ୟାରମ ବୋର୍ଡର ଚାରି କୋଣରେ ଥିବା କଏନ୍‌ ପକେଟ୍‌ କାଟିବା ଦାୟିତ୍ୱ ମଦନଙ୍କୁ ଦିଆଯାଇଛି। ପକେଟ କଟର୍‌ ବ୍ୟାସ ଚାରି ସେଣ୍ଟମିଟର ନିର୍ଦ୍ଧାରିତ କରାଯାଇଛି, ଯାହାକୁ ସ୍କୁଲ ଜ୍ୟାମିତି ବାକ୍ସ କମ୍ପାସ ଭଳି ଶୈଳୀରେ କାମ କରିବା ଲାଗି ତିଆରି କରାଯାଇଛି।

‘‘ମୁଁ ମୋ ପରିବାରର ଏକମାତ୍ର କ୍ରୀଡ଼ା ସାମଗ୍ରୀ କାରୀଗର। ମୋର ତିନି ପୁଅ ଅଛନ୍ତି। ଜଣେ ଦୋକାନ ଚଳାଏ, ଆଉ ଜଣେ ଟେଲର ଏବଂ ତୃତୀୟ ଜଣଙ୍କ ଡ୍ରାଇଭର୍‌,’’ ମଦନ କୁହନ୍ତି । ଏଥିସହିତ ସେ ବୋର୍ଡ ଉପରେ ନଇଁ ପଡ଼ି କଟର ବ୍ଲେଡକୁ ଚାପନ୍ତି ଏବଂ ଏହାର ହ୍ୟାଣ୍ଡେଲକୁ ସମାନ୍ତରାଳ ଭାବେ ଘୂରାଇ ଥା’ନ୍ତି। ଚାରିଟି ପକେଟ୍‌ କାଟିବା ପାଇଁ ତାଙ୍କୁ ମାତ୍ର ୫୫ ସେକେଣ୍ଡ ଲାଗିଥାଏ। ଏହି ସମୟରେ ଛଅରୁ ଆଠ କିଲୋଗ୍ରାମ ବୋର୍ଡକୁ ଗୋଟିଏ ଜାଗାରୁ ଅନ୍ୟ ଜାଗା ପର୍ଯ୍ୟନ୍ତ ଉଠେଇବା, ବୁଲାଇବା ଏବଂ ବ୍ୟବସ୍ଥିତ କରିବାରେ ଲାଗୁଥିବା କିଛି ମିନିଟ୍‌ ସାମିଲ ନାହିଁ ।

ପକେଟ କାଟିବା ପରେ ସେ ପ୍ରତ୍ୟେକ ବୋର୍ଡକୁ ରାଜେନ୍ଦ୍ରଙ୍କ ଟେବୁଲ ପାଖରେ ରଖନ୍ତି, ଯିଏକି ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ନେଇଯାଆନ୍ତି ଏବଂ ଦ୍ୱିତୀୟ ଥର ଲୋହେ କି ପଟ୍ଟି ସହିତ ଫ୍ରେମ ଉପରେ ମରମ୍ମତ ପେଷ୍ଟର ଗୋଟିଏ ପରସ୍ତ ଲଗାନ୍ତି। ଯେତେବେଳେ ସେ ମରମ୍ମତ ଖେଳାଇବା ଲାଗି ବୋର୍ଡ ଆଡ଼କୁ ଦେଖନ୍ତି, ସେ ଖେଳର ପୃଷ୍ଠଭାଗ ଆଡ଼କୁ ମୋର ଧ୍ୟାନ ଆକର୍ଷଣ କରନ୍ତି, ‘‘ଦେଖ, ବୋର୍ଡ ମୋ ଆଙ୍ଗୁଠିକୁ ଦର୍ପଣ ଭଳି ପ୍ରତିଫଳିତ କରୁଛି,’’ ସେ କୁହନ୍ତି।

‘‘ଏହି ପର୍ଯ୍ୟାୟରେ ବୋର୍ଡ ଦେଖିବାକୁ ପ୍ରସ୍ତୁତ ହୋଇଯାଏ, କିନ୍ତୁ ଖେଳିବା ଉପଯୋଗୀ ହେବା ଲାଗି ଆହୁରି ଅନେକ କାମ ବାକି ଥାଏ,’’ ମାଲିକ ଶର୍ମା କୁହନ୍ତି। ‘‘ଆଜି ପାଇଁ ଆମର ଲକ୍ଷ୍ୟ ହେଉଛି ସମସ୍ତ ୪୦ଟି ଫ୍ରେମ ଉପରେ ଗୋଟିଏ ପରସ୍ତ ମରମ୍ମତ ଶେଷ କରିବା। ଆସନ୍ତାକାଲି ସକାଳେ ଫ୍ରେମ ଉପରେ ଆମେ ଫିନିଶିଂ ପ୍ରକ୍ରିୟା କରିବୁ,’’ ସେ କହିଥା’ନ୍ତି।

PHOTO • Shruti Sharma
PHOTO • Shruti Sharma

କ୍ୟାରମ ବୋର୍ଡର ଚାରି କୋଣରେ କଏନ ପକେଟ କାଟିବା ଦାୟିତ୍ୱ ମଦନଙ୍କ ଉପରେ ରହିଛି ପକେଟ କଟର୍ ପରିଧି ଚାରି ସେଣ୍ଟିମିଟର ହେବା ଉଚିତ

PHOTO • Shruti Sharma
PHOTO • Shruti Sharma

ବାମ : ରାଜେନ୍ଦର ତା ପରେ ଗୋଟିଏ ଚେପଟା ଲୁହା ଫାଇଲ ସାହାଯ୍ୟରେ ବାରୁଦେ କା ମରମ୍ମତ ଆଉ ଏକ ପରସ୍ତ ଫ୍ରେମ ଉପରେ ଲଗାଇଥା ନ୍ତି ଦେଖନ୍ତୁ , ବୋର୍ଡରେ ମୋ ଆଙ୍ଗୁଠି ପ୍ରତିବିମ୍ବ ଭଳି ପ୍ରତିଫଳିତ ହେଉଛି ,’ ସେ କୁହନ୍ତି ଡାହାଣ : ପରଦିନ ସକାଳେ , ସମସ୍ତ ପାଞ୍ଚ ଜଣ ଯାକ କାରୀଗର କାରଖାନା ପରିସର ବାହାରକୁ ସେମାନଙ୍କ କାମ ସ୍ଥାନାନ୍ତର କରି ଦିଅନ୍ତି

ପରଦିନ ସକାଳେ ପାଞ୍ଚ ଜଣ କାରୀଗରଙ୍କ ମଧ୍ୟରୁ ଚାରି ଜଣ ସେମାନଙ୍କ ଟେବୁଲ ଓ କାମ ଧରି ବାହାରେ ଥିବା ଗଲି କୁ ଚାଲି ଆସନ୍ତି। ମଦନ ଭିତରେ ରୁହନ୍ତି। ‘‘ସମସ୍ତେ ସବୁ କାମ କରୁଥିବା କାରଣରୁ, ଏଠି ଖଣ୍ଡ ଆଧାରିତ ମଜୁରି ଦେବାର କୌଣସି ମୂଲ୍ୟ ନାହିଁ। ଶର୍ମା କୁହନ୍ତି, ‘‘କାରୀଗରମାନଙ୍କୁ ସେମାନଙ୍କର ଦକ୍ଷତା ସ୍ତର ଆଧାରରେ ଭିନ୍ନ ଭିନ୍ନ ଦୈନିକ ମଜୁରି ପୈଠ କରାଯାଇଥାଏ।’’

ବେତନରେ ତାରତମ୍ୟ କାହିଁକି ରହିଛି ତାହା ଜାଣିବାରେ ପରୀ ସକ୍ଷମ ହୋଇପାରିନଥିଲା - କ୍ରୀଡ଼ା ଉପକରଣ ଉଦ୍ୟୋଗ କୌଣସି ତଥ୍ୟ ଦେଇନାହିଁ। କିନ୍ତୁ ଲାଗୁଥିଲା ଯେ ଏମାନେ ବହୁତ ଦକ୍ଷ କାରୀଗର ଏବଂ ନିଖୁଣ କାମ କରୁଛନ୍ତି । ଏଠି ଗୋଟିଏ ଭୁଲ ସମ୍ପୂର୍ଣ୍ଣ ସାମଗ୍ରୀକୁ ନଷ୍ଟ କରି ଦେଇପାରେ। ହେଲେ କାରୀଗରମାନେ ମାସିକ ୧୩,୦୦୦ଟଙ୍କାରୁ ଅଧିକ ରୋଜଗାର କରିପାରୁନାହାନ୍ତି। ଏହି ଉଦ୍ୟୋଗରେ ଅଧିକାଂଶ ଲୋକ କୁଶଳୀ ଶ୍ରମିକଙ୍କ ପାଇଁ ଉତ୍ତରପ୍ରଦେଶର ସର୍ବନିମ୍ନ ମାସିକ ବେତନ ପାଖାପାଖି ୧୨,୬୬୧ ଟଙ୍କାରୁ ମଧ୍ୟ କମ ରୋଜଗାର କରୁଛନ୍ତି। ଆହୁରି ଏହି କ୍ଷେତ୍ରରେ କିଛି କାରୀଗର ଅଣକୁଶଳୀ ଶ୍ରମିକଙ୍କ ପାଇଁ ଧାର୍ଯ୍ୟ ସର୍ବନିମ୍ନ ବେତନଠାରୁ ମଧ୍ୟ କମ୍‌ ରୋଜଗାର କରୁଛନ୍ତି।

ଧରମ ଓ କରନ୍‌ ଗଲି ର ଶେଷ ମୁଣ୍ଡରେ ଅଛନ୍ତି। ଧରମ କୁହନ୍ତି, ‘‘ଆମେ ଫ୍ରେମ ଉପରେ ବାରୁଦେ କି ମରମ୍ମତ କୁ ତିନି ଥର ଲଗାଉଛୁ ଏବଂ ତା’ପରେ ଆମେ ଏହାକୁ ବାଲି କାଗଜରେ ଚିକ୍କଣ କରିବୁ।’’ ସେ ଆହୁରି କୁହନ୍ତି, ‘‘ମୋର ହାତରେ କେତୋଟି କ୍ୟାରମ ବୋର୍ଡ ଲାଗିଛି ତାହା ମୁଁ ଗଣିପାରିବି ନାହିଁ। କିନ୍ତୁ ଖେଳିବା ପାଇଁ କେବେ ଇଚ୍ଛା ହୋଇନାହିଁ। କେବଳ କିଛି ବର୍ଷ ପୂର୍ବରୁ ଯେତେବେଳେ ବାଉଜି (ସୁନୀଲ ଶର୍ମା) ମଧ୍ୟାହ୍ନ ଭୋଜନ ସମୟରେ ଗୋଟିଏ ବୋର୍ଡ ସେଟ୍‌ କରୁଥିଲେ ସେତେବେଳେ ମୁଁ ଥରେ କିମ୍ବା ଦୁଇ ଥର କିଛି କଏନ୍‌ ଷ୍ଟ୍ରାଇକ୍‌ କରିଛି।’’

ରାଜେନ୍ଦର ଶର୍ମା ପ୍ରଥମ ଟେବୁଲ ପାଖରେ ଅଛନ୍ତି ଏବଂ ଧରମ ଓ କରନଙ୍କ ଦ୍ୱାରା ଚିକ୍କଣ କରାଯାଇଥିବା ଫ୍ରେମ ଉପରେ ଅସ୍ତର (ମୂଳ ଆସ୍ତରଣ) ପ୍ରୟୋଗ କରୁଛନ୍ତି। ‘‘ଏହା ମରମ୍ମତ , କଳା ରଙ୍ଗ ଏବଂ ସରେସର ଏକ ମିଶ୍ରଣ ଅଟେ। ସରେସ୍‌ ଏକ ପ୍ରାକୃତିକ ଅଠା ଅଟେ ଯାହା କଂସେଇ ଖାନା ଏବଂ ଚମଡ଼ା କାରଖାନାରୁ ମିଳିଥିବା ପ୍ରାଣୀଙ୍କ ଅଖାଦ୍ୟ ଭାଗକୁ ପ୍ରକ୍ରିୟାକୃତ କରି ପ୍ରାପ୍ତ ହୋଇଥାଏ।

ଅସ୍ତର ଲଗାନା କାମ ଶେଷ ହେବା ପରେ, ଅମରଜିତ ରେଗମାଲ ବ୍ୟବହାର କରି ପୁଣିଥରେ ଫ୍ରେମକୁ ଚିକ୍କଣ କରନ୍ତି। ‘‘ଆମେ ଫ୍ରେମ ଉପରେ କଳା ଡୁକୋ ରଙ୍ଗ ଲଗାଇବା ଏବଂ ସେଗୁଡ଼ିକ ଶୁଖିଯିବା ପରେ ସୁନ୍ଦ୍ରସ ସହାୟତାରେ ସେଗୁଡ଼ିକୁ ବାର୍ଣ୍ଣିସ୍‌ କରାଯିବ,’’ ଅମରଜିତ କୁହନ୍ତି। ଗଛ ଛାଲିରୁ ମିଳୁଥିବା ଏକ ଲାଳକୁ ସୁନ୍ଦ୍ରସ କୁହନ୍ତି ଯାହା ବାର୍ଣ୍ଣିସ ରୂପେ କାମ କରିଥାଏ।

PHOTO • Shruti Sharma
PHOTO • Shruti Sharma

ବାମ : ପ୍ରଥମ ଟେବୁଲ ଉପରେ ବସିଥିବା ରାଜେନ୍ଦର ଧରମ ଓ କରନଙ୍କ ଦ୍ୱାରା ଚିକ୍କଣ କରାଯାଇଥିବା ଫ୍ରେମ ଉପରେ ଅସ୍ତର (ମୂଳ କୋଟିଂ) ଲଗାଉଛନ୍ତି। ଡାହାଣ : ଏହାପରେ, ଅମରଜିତ ପୁଣିଥରେ ବାଲି କାଗଜ ଉପଯୋଗ କରି ଫ୍ରେମକୁ ଚିକ୍କଣ କରୁଛନ୍ତି ଏବଂ ଫ୍ରେମ ଉପରେ ଡୁକୋ ପେଣ୍ଟର ଆଉ ଏକ ପରସ୍ତ ଲଗାଉଛନ୍ତି

PHOTO • Shruti Sharma
PHOTO • Shruti Sharma

ବାମ : ରଙ୍ଗ ହୋଇଥିବା ଫ୍ରେମ ଖରାରେ ଶୁଖିବା ପରେ ମଦନ ପ୍ଲାଇବୋର୍ଡର ଚକଡ଼ି ଥିବା ଭାଗ ଉପରେ କ୍ରୋକେଟ୍‌ କଏନ ପକେଟ୍‌ ଲଗାଉଛନ୍ତି। ସେ ଚାରିଟି କଟା ହୋଇଥିବା ଗୋଲେଇ ମଧ୍ୟରୁ ପ୍ରତ୍ୟେକର ଚାରିପଟୁ ଚାରିଟି ଗୋଲ୍ଡେନ ବୁଲେଟିନ୍‌ ବୋର୍ଡ ପିନ୍‌ ର କେବଳ ଅଧା ଭାଗକୁ ହାତୁଡ଼ିରେ ପିଟନ୍ତି ଏବଂ କ୍ରୋକେଟ ପକେଟକୁ ଟାଣି, ଗଣ୍ଠି ମଝିରେ ଥିବା କଣାଗୁଡ଼ିକୁ ଠିକ୍‌ କରିଥାନ୍ତି ଏବଂ ପୁଣିଥରେ ସମ୍ପୂର୍ଣ୍ଣ ଭାବେ ପିଟି ଦିଅନ୍ତି। ଡାହାଣ : ଧରମ ଶେଷ ଥର ଯାଞ୍ଚ କରନ୍ତି, ବୋର୍ଡକୁ ଖଣ୍ଡେ ସୂତା କପଡ଼ାରେ ପୋଛନ୍ତି

ପ୍ରତ୍ୟେକ କ୍ୟାରମ ବୋର୍ଡ ଖରାରେ ଶୁଖିବା ପରେ, ମଦନ ପ୍ଲାଇବୋର୍ଡର ଚକଡ଼ି ଥିବା ଭାଗରେ କ୍ରୋକେଟ୍‌ କଏନ୍‌ ପକେଟ୍‌ ଲଗାଇବା ପାଇଁ କାରଖାନା ଭିତରେ ଅପେକ୍ଷା କରନ୍ତି। ସେ ଚାରିଟି କଟା ହୋଇଥିବା ଗୋଲେଇ ମଧ୍ୟରୁ ପ୍ରତ୍ୟେକର ଚାରି ପଟେ ଚାରିଟି ସୁନେଲି ବୁଲେଟିନ୍‌ ବୋର୍ଡ ପିନ୍‌ ମଧ୍ୟରୁ କେବଳ ଅଧାକୁ ପିଟନ୍ତି। କ୍ରୋକେଟ୍‌ ପକେଟକୁ ଟାଣି, ସେହି ଗଣ୍ଠି ମଝିରେ ଥିବା କଣାଗୁଡ଼ିକୁ ପିନ୍‌ ଉପରେ ଠିକ୍‌ ଭାବେ ଲଗାଇଥା’ନ୍ତି ଏବଂ ତା’ପରେ ସମ୍ପୂର୍ଣ୍ଣ ରୂପେ ପିଟି ଦିଅନ୍ତି।

‘‘ମଲ୍ୟାନା ଫାଟକ ଓ ତେଜଗଡ଼ିରେ ମହିଳାମାନେ ସେମାନଙ୍କ ଘରେ କ୍ରୋକେଟ୍‌ ପକେଟ୍‌ ତିଆରି କରନ୍ତି,’’ ଶର୍ମା କୁହନ୍ତି। ‘‘ସେଗୁଡ଼ିକ ମଧ୍ୟରୁ ୧୨ ଡଜନ୍‌ ଅର୍ଥାତ୍‌ ୧୪୪ ପକେଟର ଦାମ୍‌ ହେଉଛି ଶହେ ଟଙ୍କା,’’ ସେ ଆହୁରି କହିଥାନ୍ତି। ଅର୍ଥାତ୍‌ ମହିଳାଙ୍କୁ ପ୍ରତ୍ୟେକ ପକେଟ୍‌ ୬୯ ପଇସା ମିଳିଥାଏ।

ଏବେ କ୍ୟାରମ ବୋର୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ଧରମ ଏକ ଛୋଟ ସୂତା କପଡ଼ାରେ ବୋର୍ଡକୁ ପୋଛି ଶେଷ ଥର ପାଇଁ ଯାଞ୍ଚ କରି ନେଉଛନ୍ତି। ଅମରଜିତ ଏକ ବଡ଼ ପ୍ଲାଷ୍ଟିକ ବ୍ୟାଗରେ ପ୍ରତ୍ୟେକ ବୋର୍ଡକୁ ପ୍ୟାକ୍ କରୁଛନ୍ତି। ‘‘ଆମେ ମଧ୍ୟ ପ୍ଲାଷ୍ଟିକ୍‌ ବ୍ୟାଗ ଭିତରେ କ୍ୟାରମ କଏନ ଓ କ୍ୟାରମ ପାଉଡର ଭରିଥାଉ,’’ ସୁନୀଲ ଶର୍ମା କୁହନ୍ତି। ‘‘ଆମେ ବରୋଦାରୁ କଏନ୍‌ ଆଣୁ ଏବଂ ପାଉଡର ସ୍ଥାନୀୟ ଅଞ୍ଚଳରେ ମିଳିଥାଏ।

ଖେଳିବା ପାଇଁ ପ୍ରସ୍ତୁତ ହୋଇସାରଥିବା ବୋର୍ଡଗୁଡ଼ିକୁ ତା’ପରେ କାର୍ଡବୋର୍ଡ ବାକ୍ସରେ ପ୍ୟାକ କରି ପରସ୍ପର ଉପରେ ରଖି ଦିଆଯାଏ। ଆସନ୍ତାକାଲି ସକାଳେ ଯେତେବେଳେ କାରୀଗରମାନେ କାମକୁ ଆସିବେ, ସେମାନେ ବର୍ତ୍ତମାନର ଅର୍ଡର ପାଇଁ ୪୦ଟି ବୋର୍ଡର ଶେଷ ଲଟ୍‌ ପ୍ରସ୍ତୁତ କରିବା ଆରମ୍ଭ କରିବେ ଏବଂ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି କାମ କରିବେ। ଏହାପରେ, ବୋର୍ଡକୁ ଦିଲ୍ଲୀ ପଠାଯିବ ଆଉ ତା’ପରେ ବିଦେଶକୁ ଯିବ । ସେମାନେ ନିଜେ କେବେ ଖେଳିନଥିବା କିମ୍ବା ଉପଭୋଗ କରିନଥିବା ଦ୍ରୁତ ବର୍ଦ୍ଧିତ ଖେଳ ଏବଂ ଅବସର ବିନୋଦନକୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି।

ମୃଣାଳିନୀ ମୁଖାର୍ଜି ଫାଉଣ୍ଡେସନ (ଏମଏମଏଫ)ରୁ ମିଳିଥିବା ଏକ ଫେଲୋସିପ୍‌ ସହାୟତାରେ ଏହି ଷ୍ଟୋରୀ ପ୍ରସ୍ତୁତ କରାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Shruti Sharma

Shruti Sharma is a MMF-PARI fellow (2022-23). She is working towards a PhD on the social history of sports goods manufacturing in India, at the Centre for Studies in Social Sciences, Calcutta.

Other stories by Shruti Sharma

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE