ନିର୍ବାଚନ ପ୍ରଚାର ସମୟରେ ଚୌକିରେ ବସିଥିବା ବୟସ୍କ ବ୍ୟକ୍ତି ଉଚ୍ଚ ସ୍ୱରରେ ଅଭିଯୋଗ କଲେ, ‘‘ଆମ ଭଳି ବୟସ୍କମାନଙ୍କୁ ଭତ୍ତା କିଏ ଦେବ? କେହି ନୁହେଁ।’’ ପ୍ରାର୍ଥୀ ଜବାବ ଦେଲେ, ‘‘ ତାଉ ଆପଣଙ୍କୁ ଭତ୍ତା ମିଳିବ ଏବଂ ତାଇ ଙ୍କୁ ମଧ୍ୟ ୬,୦୦୦ ଟଙ୍କା ମାସିକ ଭତ୍ତା ମିଳିବ।’’ ଭାଷଣ ଶେଷ ହେବା ପରେ ଏହାକୁ ଶୁଣୁଥିବା ଜଣେ ବୟସ୍କ ବ୍ୟକ୍ତି ନିଜ ପଗଡ଼ି ବାହାର କରି ପ୍ରାର୍ଥୀଙ୍କ ମୁଣ୍ଡ ଉପରେ ରଖିଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଲେ ଯାହାକି ଉତ୍ତର ଭାରତର ଏହି ରାଜ୍ୟରେ ଏକ ସମ୍ମାନର ପ୍ରତୀକ ଥିଲା।

ପ୍ରାର୍ଥୀ ଜଣଙ୍କ ଥିଲେ ଦୀପେନ୍ଦର ହୁଡା ଯିଏକି ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାଙ୍କର ନିର୍ବାଚନ ମଣ୍ଡଳୀ ରୋହତକରେ ପ୍ରଚାର କରୁଥିଲେ। ଲୋକମାନେ ଶୁଣିଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ପ୍ରଶ୍ନ ପଚାରିଲେ ଏବଂ ନିଜର ମନକଥା ଖୋଲି କହିଲେ।

(ସଦ୍ୟତମ ସୂଚନା: ଭାରତୀୟ ଜାତୀୟ କଂଗ୍ରେସର ଦୀପେନ୍ଦର ହୁଡା ଏହି ଆସନକୁ ୭,୮୩,୫୭୮ ଖଣ୍ଡ ଭୋଟ୍‌ରେ ଜିତିଛନ୍ତି। ୪ ଜୁନ୍ ୨୦୨୪ରେ ଫଳାଫଳ ଘୋଷଣା କରାଯାଇଥିଲା।)

*****

‘‘ଚାଷୀଙ୍କ ଜମି ଛଡ଼େଇ ନେଇ ଏହାକୁ ସଂସ୍କାର ବୋଲି କହୁଥିବା ଗୋଟିଏ ଦଳକୁ ଭୋଟ୍‌ କାହିଁକି ଦେବା?,’’ ମେ ୨୫ରେ ହେବାକୁ ଥିବା ନିର୍ବାଚନର ଯଥେଷ୍ଟ ପୂର୍ବରୁ ପରୀକୁ ପ୍ରଶ୍ନ କରିଥିଲେ କୃଷ୍ଣ। ରୋହତକ ଜିଲ୍ଲାର କଲାନୌର ବ୍ଲକ୍‌ ଅନ୍ତର୍ଗତ ଏକ ଗ୍ରାମ ନିଗାନାରେ ଆମେ ଅଛୁ। ବର୍ତ୍ତମାନ ଅମଳ ସମୟ। ଗହମ ଫସଲ କଟା ହୋଇଛି ଏବଂ ଚାଷୀମାନେ ବର୍ଷା ଋତୁକୁ ଅପେକ୍ଷା କରିଛନ୍ତି, ପରବର୍ତ୍ତୀ ଧାନ ଋତୁ ପାଇଁ ସେମାନଙ୍କ ଜମିକୁ ପ୍ରସ୍ତୁତ କରୁଛନ୍ତି।  ଆକାଶରେ ବାଦଲର ଦେଖା ନାହିଁ, ସଡ଼କରୁ ଧୂଳି ଓ ଜଳୁଥିବା ଚାଷ ଜମିରୁ ଧୂଆଁ ବାୟୁମଣ୍ଡଳରେ ଖେଳିଯାଇଛି।

ପାରଦ ୪୨ ଡିଗ୍ରୀ ସେଲସିୟସ୍‌ ଛୁଇଁଲାଣି; ନିର୍ବାଚନ ମାହୋଲ ମଧ୍ୟ ସରଗରମ ହେଉଛି। ୪୦ ବର୍ଷରୁ ଅଧିକ ବୟସ୍କ କୃଷ୍ଣ ନିକଟସ୍ଥ ଏକ ଘରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଛନ୍ତି। ଏହି କାମ ପାଇଁ ତାଙ୍କୁ ଦୈନିକ ୫୦୦ ଟଙ୍କା ମଜୁରି ମିଳିଥାଏ ଯେଉଁଥିରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚଳି ହେବ। ସେ ମଧ୍ୟ ଅନ୍ୟାନ୍ୟ ମଜୁରି ଶ୍ରମ କରନ୍ତି ଏବଂ ଛୋଟିଆ ଦୋକାନଟିଏ ଚଳେଇ ଥାନ୍ତି। ରୋହତକ ଜିଲ୍ଲାର ଏହି ଅଞ୍ଚଳରେ ଅଧିକାଂଶ ଲୋକ କୃଷି ଶ୍ରମିକ, ନିର୍ମାଣସ୍ଥଳୀରେ କାମ ଏବଂ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ) ଆଦି ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଇଥା’ନ୍ତି।

PHOTO • Amir Malik
PHOTO • Amir Malik

କୃଷ୍ଣ ( ବାମ ) ନିଗାନାର ଜଣେ ଦିନ ମଜୁରିଆ ସେ କୁହନ୍ତି , ‘ ଚାଷୀଙ୍କ ଜମି ଛଡ଼େଇ ନେଇ ଏହାକୁ ସଂସ୍କାର ବୋଲି କହୁଥିବା ଗୋଟିଏ ଦଳକୁ ଭୋଟ୍ କାହିଁକି ଦେବା ?’ ରୋହତକ ଜିଲ୍ଲାର ଏହି ଅଞ୍ଚଳରେ ଅଧିକାଂଶ ଲୋକ କୃଷି ଶ୍ରମିକ , ନିର୍ମାଣସ୍ଥଳୀରେ କାମ ଏବଂ ମନରେଗା ଆଦି ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଇଥା ନ୍ତି

ତାଙ୍କ ଘରକୁ ଯିବା ରାସ୍ତାରେ ଆମେ ଗୋଟିଏ ଦୋଛକିରେ ପହଞ୍ଚୁ। ସେ କୁହନ୍ତି, ‘‘ଚାଷୀ ଓ ଶ୍ରମିକ ଏମିତି ଏକ ଛକରେ ଛିଡ଼ା ହୋଇଛନ୍ତି ଯେଉଁଠି ସେମାନଙ୍କୁ ଚାରି ପଟୁ ସାମ-ଦାମ-ଦଣ୍ଡ-ଭେଦ ଜରିଆରେ ଶୋଷଣ କରଯାଉଛି।’’ ଚାଣକ୍ୟ ନାମରେ ପରିଚିତ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଭାରତୀୟ ଶିକ୍ଷକ, ରଣନୀତିକାର ଏବଂ ବିଦୂଷକ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ବିଷୟରେ ଏଠାରେ କୃଷ୍ଣ ଉଲ୍ଲେଖ କରୁଛନ୍ତି ଯେଉଁଥିରେ ଶାସନର ଚାରିଟି ମୂଳ ସିଦ୍ଧାନ୍ତ - ଧୈର୍ଯ୍ୟ, ଉପହାର ଓ ଅର୍ଥ ଦ୍ୱାରା ପ୍ରଲୋଭନ, ଦଣ୍ଡ ଏବଂ କଠୋର ବଳପ୍ରୟୋଗ ବିଷୟରେ ଉଲ୍ଲେଖ କରାଯାଇଛି।

କିନ୍ତୁ କୃଷ୍ଣ ଆଧୁନିକ ସମୟକୁ ଆଧାର କରି ଚାଣକ୍ୟଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି!

‘‘ଶାସକ ଦଳ (ବିଜେପି) ଦିଲ୍ଲୀ ସୀମାରେ ୭୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ପାଇଁ କୌଣସି ଉତ୍ତରଦାୟିତ୍ୱ ନେଲା ନାହିଁ,’’ ସେ ୨୦୨୦ର ଐତିହାସିକ ଚାଷୀ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରି କୁହନ୍ତି। ଗୋଟିଏ ବର୍ଷ ପରେ ପ୍ରତ୍ୟାହାର କରି ନିଆଯାଇଥିବା ବହୁ ସମାଲୋଚିତ କୃଷି ଆଇନକୁ ସେ ନିନ୍ଦା କରନ୍ତି।

‘‘ମନେ ଅଛି, କେମିତି ଟେନି (ବିଜେପି ନେତାଙ୍କ ପୁଅ) ଲକ୍ଷୀମପୁର ଖେରୀରେ ଚାଷୀଙ୍କ ଉପରେ ଗାଡ଼ି ମଡ଼େଇ ଦେଇଥିଲା? ୟେ ମାର୍ ନେ ମେ କଞ୍ଜୁସି ନହିଁ କରତେ (ହତ୍ୟା କରିବା କଥା ଆସିଲେ ସେମାନେ ପଛଘୁଞ୍ଚା ଦିଅନ୍ତି ନାହିଁ)।’’ ୨୦୨୧ର ଘଟଣା ତାଙ୍କ ମନରେ ଘର କରି ନେଇଥିଲା।

ଯୌନ ନିର୍ଯାତନା ଅଭିଯୋଗ ରହିଥିବା ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ ଭୁଷଣ ସିଂଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ତାଙ୍କ ଭଳି ଲୋକଙ୍କୁ ପସନ୍ଦ ଆସିନଥିଲା। ସେ କୁହନ୍ତି, ‘‘ସାକ୍ଷୀ ମଲିକ ଏବଂ ଅନେକ ପ୍ରସିଦ୍ଧ କୁସ୍ତିଯୋଦ୍ଧା ଗତ ବର୍ଷ ନୂଆଦିଲ୍ଲୀରେ ଗୋଟିଏ ମାସ ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ। ଜଣେ ନାବାଳିକା ସମେତ ଅନେକ ମହିଳାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ସେମାନେ ବ୍ରିଜଭୁଷଣଙ୍କ ଗିରଫଦାରୀ ଦାବି କରିଥିଲେ।’’

୨୦୧୪ରେ ମହିଳା ବିରୋଧୀ ହିଂସା କମାଇବା ଲାଗି ବିଜେପି ପ୍ରତିଶ୍ରୁତି ଦେଇଥିଲ। ‘‘ସେସବୁ ପ୍ରତିଶ୍ରୁତିର କ’ଣ ହେଲା?’’ କୃଷ୍ଣ ପ୍ରଶ୍ନ କରନ୍ତି। ‘‘ସେମାନେ ସୁଇଜରଲ୍ୟାଣ୍ଡରୁ କଳାଧନ ଫେରାଇ ଆଣିବେ ଏବଂ ଆମ ଏକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଆମକୁ ଯାହା ମିଳିଲା ତାହା ହେଉଛି କ୍ଷୁଧା ଓ ରାସନ।’’

PHOTO • Amir Malik
PHOTO • Amir Malik

୪୨ ବର୍ଷ ବୟସ୍କ ବବଲି (ବାମ) ହରିୟାଣା ରୋହତକ ଜିଲ୍ଲା ଅନ୍ତର୍ଗତ ନିଗାନାର ଜଣେ ଶ୍ରମିକ। ସେ କୁହନ୍ତି, ‘ଗୋଟିଏ ଦଶନ୍ଧି ପୂର୍ବରୁ ଜୀବନ ସହଜ ନଥିଲା, କିନ୍ତୁ ବର୍ତ୍ତମାନ ଭଳି କଷ୍ଟକର ମଧ୍ୟ ନଥିଲା।’ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ କରିବା ଲାଗି ଲୋକମାନଙ୍କୁ ଅନୁରୋଧ କରୁଥିବାର ଏକ ବିଲ୍‌ବୋର୍ଡ (ଡାହାଣ)

ତାଙ୍କ ଘରେ, ତାଙ୍କ ଭାଉଜ ବବଲି ଗୋଟିଏ ଚୁଲା ଉପରେ ସଙ୍ଗେ ସଙ୍ଗେ ଜଳଖିଆ ପ୍ରସ୍ତୁତି ଶେଷ କରିଛନ୍ତି। ଛଅ ବର୍ଷ ପୂର୍ବରୁ ଲିଭର୍‌ ରୋଗ କାରଣରୁ ସେ ତାଙ୍କ ସ୍ୱାମୀଙ୍କୁ ହରାଇଛନ୍ତି। ସେବେଠାରୁ ୪୨ ବର୍ଷ ବୟସ୍କା ବବଲି ମନରେଗା ସ୍ଥଳୀରେ କାମ କରି ଆସୁଛନ୍ତି।

‘‘ମୋତେ ମାସ ଯାକ କାମ ମିଳିବା କଷ୍ଟକର। ଯଦି ମୁଁ କରେ, ଠିକ୍‌ ସମୟରେ ଟଙ୍କା ମିଳିନଥାଏ। ଯଦି ପ୍ରକୃତରେ ମୋତେ ଠିକ୍‌ ସମୟରେ ପାରିଶ୍ରମିକ ମିଳେ, ତାହା ଏତେ କମ୍‌ ହୋଇଥାଏ ଯେ ପରିବାର ଚଳେଇବା କଷ୍ଟକର ହୋଇଯାଏ,’’ ସେ କୁହନ୍ତି। ମାର୍ଚ୍ଚ ୨୦୨୪ରେ ସେ ସାତ ଦିନ ଧରି କାମ କରିଥିଲେ, କିନ୍ତୁ ଏବେ ସୁଦ୍ଧା ତାଙ୍କର ୨,୩୪୫ ଟଙ୍କାର ମଜୁରି ମିଳିପାରିନାହିଁ।

ଗତ ଚାରି ବର୍ଷ ମଧ୍ୟରେ ହରିୟାଣରେ ମନରେଗା କାମ ଉପଲବ୍ଧତାରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ୨୦୨୦-୨୧ରେ, ରାଜ୍ୟରେ ୧୪,୦୦୦ ରୁ ଅଧିକ ପରିବାରକୁ ଏହି ଆଇନ ଅଧୀନରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ କାମ ମିଳିଥିଲା। ୨୦୨୩-୨୪ରେ ଏହି ସଂଖ୍ୟା ୩,୪୪୭କୁ ହ୍ରାସ ପାଇଥିଲା। ରୋହତକ ଜିଲ୍ଲାରେ, ୨୦୨୧-୨୦ରେ ୧,୦୩୦ ପରିବାରକୁ କାମ ମିଳିଥିବା ବେଳେ ୨୦୨୩ରେ ମାତ୍ର ୪୭୯ ପରିବାରକୁ ୧୦୦ ଦିନ କାମ ମିଳିଥିଲା।

‘‘ଗୋଟିଏ ଦଶନ୍ଧି ପୂର୍ବରୁ ଜୀବନ ସହଜ ନଥିଲା, କିନ୍ତୁ ବର୍ତ୍ତମାନ ଭଳି କଷ୍ଟକର ମଧ୍ୟ ନଥିଲା,’’ ବବଲି କୁହନ୍ତି।

PHOTO • Amir Malik
PHOTO • Amir Malik

କେଶୁ ପ୍ରଜାପତି (ଡାହାଣ) କୁହନ୍ତି, ଏହି ନିର୍ବାଚନରେ ଦରଦାମ ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ରାମରତି (ଡାହାଣ) ଗୋଟିଏ ସରକାରୀ ବିଦ୍ୟାଳୟରେ ରୋଷେୟା ଏବଂ ସେ କୁହନ୍ତି ଯେ ତାଙ୍କର ବେତନ ଚଳିବା ପାଇଁ ଯଥେଷ୍ଟ ନୁହେଁ

ନିଗାନାରୁ ମାତ୍ର ଛଅ କିଲୋମିଟର ଦୂରରେ ରହିଛି କନୌର, ସେଠାରେ ରୁହନ୍ତି କେସୁ ପ୍ରଜାପତି। ତାଙ୍କ କହିବା କଥା ହେଲା ଏହି ନିର୍ବାଚନରେ ଦରଦାମ ବୃଦ୍ଧି ଏକ ପ୍ରମୁଖ ପ୍ରସଙ୍ଗ। ୪୪ ବର୍ଷ ବୟସ୍କ କେସୁ ବିଭିନ୍ନ ଘରେ ଓ ଅଟ୍ଟାଳିକାରେ ଟାଇଲ ଲଗେଇବା କାମ କରନ୍ତି।  ଲୁଣ ଓ ଚିନି ଭଳି ସଉଦାର ଦରକୁ ନେଇ ସେ ଦରଦାମ ବୃଦ୍ଧିକୁ ଆକଳନ କରିଥାନ୍ତି।  ରୋହତକର ଗୋଟିଏ ଶ୍ରମିକ ସଂଗଠନ ଭବନ ନିର୍ମାଣ କାରୀଗର ମଜଦୁର ସଂଘର ସଦସ୍ୟ ତଥା ଜଣେ ଦିନ ମଜୁରିଆ କେସୁ କୁହନ୍ତି ଯେ ଦଶ ବର୍ଷ ପୂର୍ବରୁ କ୍ଷୀର ଲିଟର ଦାମ୍ ୩୦ରୁ ୩୫ ଟଙ୍କା ଥିଲା। ଏବେ ଏହା ୭୦ ଟଙ୍କାରେ ପହଞ୍ଚିଛି। ଗୋଟିଏ କିଲୋଗ୍ରାମ ଲୁଣ ଦର ଆଗରୁ ୧୬ ଟଙ୍କା ଥିବା ବେଳେ ଏବେ ୨୭ ଟଙ୍କାରେ ପହଞ୍ଚିଲାଣି।

“ରାସନ ଆମର ଅଧିକାର ଥିଲା। କିନ୍ତୁ ଏବେ ଏହା ସରକାରଙ୍କ ପ୍ରଲୋଭନ ପରି ଲାଗୁଛି ଯାହା ପାଇଁ ଆମକୁ ମୁଣ୍ଡ ନୁଆଁଇବାକୁ ପଡ଼ୁଛି। ବର୍ତ୍ତମାନ ଜଣେ ହଳଦିଆ କାର୍ଡ ଧାରୀ ପାଞ୍ଚ କିଲୋଗ୍ରାମ ଗହମ, ଗୋଟିଏ କିଲୋ ଚିନି ଏବଂ ଖାଇବା ତେଲ ପାଉଛନ୍ତି। ଅନ୍ୟପଟେ ଜଣେ ଗୋଲାପୀ କାର୍ଡ ଧାରୀ ମାସିକ କିଲୋଗ୍ରାମ ଗହମ ପାଉଛନ୍ତି। “ପୂର୍ବରୁ ସରକାର ରାସନରେ କିରାସିନି ଦେଉଥିଲେ। ତାହା ବନ୍ଦ ହୋଇଯାଇଛି ଏବଂ ଏଲପିଜି (ଲିକ୍ୟୁଫାଏଡ୍ ପେଟ୍ରୋଲିୟମ ଗ୍ୟାସ) ସିଲିଣ୍ଡର ଭରିବା କଷ୍ଟ ହେଉଛି। ଆମେ ମଧ୍ୟ ଚଣା ଓ ଲୁଣ ପାଉଥିଲୁ,’’ ସେ କୁହନ୍ତି, ତାହା ମଧ୍ୟ ଆଉ ମିଳୁ ନାହିଁ।

ଏବେ ଲୁଣ ଆଉ ମିଳୁନଥିବାରୁ, ସେ କୁହନ୍ତି “ଅତିକମରେ, ଆମେ କହିପାରିବୁ ‘ ହମନେ ସରକାର କା ନମକ ନହିଁ ଖାୟା’ (ଆମେ ସରକାରଙ୍କ ଲୁଣ ଖାଇନଥିଲୁ ତେଣୁ ଆମେ ବର୍ତ୍ତମାନର ସରକାରଙ୍କ ପ୍ରତି ବିଶ୍ୱସ୍ତ ହେବା ଦରକାର ନାହିଁ)।”

କହନୌରରେ ଗୋଟିଏ ସରକାରୀ ବିଦ୍ୟାଳୟରେ ଜଣେ ରୋଷେୟା ଭାବେ କାମ କରୁଥିବା ରାମରତିଙ୍କ ଭଳି ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଥିବା ବିଜେପିର ହରିୟାଣାରେ ‘ଡବଲ ଇଞ୍ଜିନ ସରକାର’ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିନାହିଁ। ରାମରତି (୪୮) ଗୋଟିଏ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ  କରନ୍ତି। “ଏତେ ଗରମରେ, ଗୋଟିଏ ମିନିଟ ନିଆଁ ପାଖରେ ଛିଡ଼ା ହେବା ଅସହ୍ୟ ହୋଇପଡ଼ୁଥିବା ବେଳେ, ଗୋଟିଏ ମାସରେ ମୁଁ ପ୍ରାୟ ୬,୦୦୦ ରୁଟି ତିଆରି କରିଥାଏ।” ଏହି କାମରୁ ତାଙ୍କୁ ମାସିକ ୭,୦୦୦ ଟଙ୍କାର ବେତନ ମିଳେ। ସେ ଭାବନ୍ତି ତାଙ୍କୁ ପରିଶ୍ରମ ଅନୁଯାୟୀ, ଅଧା ପାରିଶ୍ରମିକ ସୁଦ୍ଧା ମିଳିନଥାଏ। ଦରଦାମ ବୃଦ୍ଧି ତାଙ୍କର ଛଅ ଜଣିଆ ପରିବାର ଚଳେଇବା କଷ୍ଟକର କରି ଦେଇଛି। ସେ ତାଙ୍କର ଘରୋଇ କାମକୁ ସୁଦ୍ଧା ହିସାବ କରନ୍ତି ନାହିଁ। ମୁଁ ବାର ଘଣ୍ଟାରୁ ଅଧିକ ସମୟ ଧରି କାମ କରିଥାଏ,’’ ସେ କୁହନ୍ତି।

PHOTO • Amir Malik

ଗତ ଚାରି ବର୍ଷ ମଧ୍ୟରେ ହରିୟାଣାରେ ମନରେଗା କାମ ଉପଲବ୍ଧତାରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ରୋହତକ ଜିଲ୍ଲାରେ, ୨୦୨୧-୨୦ରେ ୧,୦୩୦ ପରିବାରକୁ କାମ ମିଳିଥିବା ବେଳେ ୨୦୨୩ରେ ମାତ୍ର ୪୭୯ ପରିବାରକୁ ୧୦୦ ଦିନ କାମ ମିଳିଥିଲା। ବାମରୁ ଡାହାଣ : ଶ୍ରମିକ ହରିଶ କୁମାର, କାଲା, ପବନ କୁମାର, ହରି ଚାନ୍ଦ, ନିର୍ମଲା, ସନ୍ତୋଷ ଓ ପୁଷ୍ପା

“ମୁଁ ମନ୍ଦିର (ରାମ ମନ୍ଦିର) ପାଇଁ ଭୋଟ୍ ଦେବି ନାହିଁ। କାଶ୍ମୀର ପ୍ରସଙ୍ଗ ସହ ମୋର କିଛି ଯାଏ ଆସେ ନାହିଁ,’’ ହରିଶ କୁମାର କୁହନ୍ତି। ବିଜେପି ଦୁଇଟି ସଫଳତାକୁ ନେଇ ଗର୍ବ କରିଥାଏ, ଗୋଟିଏ ହେଉଛି ଅଯୋଧ୍ୟାରେ ମନ୍ଦିର ଉଦଘାଟନ ଏବଂ ଆଉ ଗୋଟିଏ ହେଉଛି ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ (ଜାମ୍ମୁ ଓ କାଶ୍ମୀର ସହ ଜଡ଼ିତ) ଯାହାର ଏହି ଦିନ ମଜୁରିଆଙ୍କ ସହିତ କୌଣସି ସମ୍ପର୍କ ନାହିଁ।

କହନୌରଠାରୁ ୩୦ କିଲୋମିଟର ଦୂର ମକରୌଲି କଲାଁ ଠାରେ ଏକ ରାସ୍ତା ନିର୍ମାଣ ସ୍ଥଳୀରେ କାମ କରିବାରେ ବ୍ୟସ୍ତ ରହିଛନ୍ତି ହରିଶ। ମୁଣ୍ଡଫଟା ଖରାରେ ହରିଶଙ୍କ ସହିତ ଆଉ କେତେଜଣ ପୁରୁଷ ଓ ମହିଳା ମିଶି କାମ କରିବା ସମୟରେ ଭାରୀ ଯାନ ଚଳାଚଳ ଜାରି ରହିଛି।

ହରିଶଙ୍କ ଘର କଲାନୌର ତହସିଲରେ ଥିବା ସମ୍ପଲ ଗ୍ରାମରେ। ସେ ଏହି କାମ ପାଇଁ ଦିନକୁ ୫୦୦ ଟଙ୍କା ରୋଜଗାର କରନ୍ତି। “ଦରଦାମ ବୃଦ୍ଧିକୁ ତାଳ ଦେଇ ଆମର ଦିନ ମଜୁରି ବଢ଼ୁନାହିଁ। ମଜବୁରୀ ମେଁ ମେହନତ ବେଚନେ କୋ ମଜବୁରୀ କେହତେ ହେଁ (ବାଧ୍ୟବାଧକତା କାରଣରୁ ନିଜ ଶ୍ରମ ବିକ୍ରି କରିବା ଜରିଆରେ ଜୀବନ ନିର୍ବାହ କରୁଥିବା ଲୋକଙ୍କୁ ଶ୍ରମିକ କୁହାଯାଏ)।”

PHOTO • Amir Malik
PHOTO • Amir Malik

ରୋହତକ ତହସିଲର ମକରୌଲି କଲାଁରେ ମହିଳା ଦିନ ମଜୁରିଆମାନେ କଂକ୍ରିଟ ଖଣ୍ଡ ବୋହି ପାଦ ଚଲା ରାସ୍ତା ତିଆରି କରୁଛନ୍ତି। ନିର୍ମଲା (ଡାହାଣ) ଅନ୍ୟମାନଙ୍କ ଭଳି ମୁଣ୍ଡଫଟା ଖରାରେ କାମ କରିବାକୁ ବାଧ୍ୟ ହୋଇଥା’ନ୍ତି

PHOTO • Amir Malik
PHOTO • Amir Malik

ଟ୍ରାକ୍ଟରରୁ ସିମେଣ୍ଟ ଉଠାଉଛନ୍ତି ହରିଶ ଓ ପବନ (ନାଲି ସାର୍ଟ)। କାହନୌରଠାରୁ ୩୦ କିଲୋମିଟର ଦୂର ମକରୌଲି କଲାଁ ଠାରେ ଏକ ରାସ୍ତା ନିର୍ମାଣ ସ୍ଥଳୀରେ ସେମାନେ କାମ କରୁଛନ୍ତି

ସେ ତାଙ୍କର ମଧ୍ୟାହ୍ନ ଭୋଜନ ଶେଷ କରିବା ପରେ କଂକ୍ରିଟ ଗୋଳେଇବା କାମ ପାଇଁ ଯିବାକୁ ତରବର ହେଉଛନ୍ତି। ଭାରତରେ ତାଙ୍କର ଅଧିକାଂଶ ସହ-ଶ୍ରମିକଙ୍କ ଭଳି, ତାଙ୍କୁ ମଧ୍ୟ କମ ପାରିଶ୍ରମିକରେ ଅତି ଖରାପ ପରିସ୍ଥିତିରେ ଅଧିକ କାମ କରିବାକୁ ପଡ଼ିଥାଏ। “କାମର ପ୍ରଥମ ଦିନରେ, ମୁଁ ଭାବିଥିଲି ଟଙ୍କା ରୋଜଗାର କରିବା ପରେ, ଲୋକମାନେ ମଧ୍ୟ ସମ୍ମାନ ଜଣେଇବେ। ଆଜି ମଧ୍ୟ ସେହି ଟିକକ ସମ୍ମାନ ପାଇବା ଲାଗି ମୁଁ କାମ କରି ଚାଲିଛି,’’ ସେ କୁହନ୍ତି।

“ଆମେ ଅଧିକ ମଜୁରି ଦାବି କରୁନାହୁଁ। ଆମକୁ ସମାନତା ଆବଶ୍ୟକ।”

ଗୋଟିଏ ଶତାବ୍ଦୀରୁ ଅଧିକ ସମୟ ପୂର୍ବରୁ, କଲାନୌର ତହସିଲ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲା। ମହାତ୍ମା ଗାନ୍ଧୀ ଓ ମୌଲାନା ଅବୁଲ କଲାମ ଆଜାଦ୍ କଲାନୌରଠାରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ୮ ନଭେମ୍ବର ୧୯୩୦ରେ ରୋହତକରେ ଆୟୋଜିତ ଏକ ସମ୍ମିଳନୀରେ ଏହି ଅଞ୍ଚଳରେ ଅସହଯୋଗ ଆନ୍ଦୋଳନକୁ ପ୍ରୋତ୍ସାହନ ଦେବା ଲାଗି ସଂକଳ୍ପ ପାରିତ ହୋଇଥିଲା। ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା।

୨୦୨୪ରେ, ରୋହତକର ଲୋକମାନେ ପୁଣିଥରେ ଏକ ଦୋଛକିରେ ଛିଡ଼ା ହୋଇଛନ୍ତି, ଯେଉଁଠି ଗଣତନ୍ତ୍ର ସହିତ ସେମାନଙ୍କ ଦେଶର ସମ୍ପର୍କ ଓ ଅସ୍ତିତ୍ଵ ପାଇଁ ନିଜ ସଂଘର୍ଷର ଏକ ଗୁରୁତ୍ଵପୂର୍ଣ୍ଣ ମୋଡ଼ ଅପେକ୍ଷାରେ ରହିଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Amir Malik

Amir Malik is an independent journalist, and a 2022 PARI Fellow.

Other stories by Amir Malik
Editor : Medha Kale

Medha Kale is based in Pune and has worked in the field of women and health. She is the Marathi Translations Editor at the People’s Archive of Rural India.

Other stories by Medha Kale
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE